
କୋକସରା, ଶୁଷ୍କ ଜମି ମାନଙ୍କରେ ଜଳସେଚନର ସୁବିଧା ନ ଥିବାରୁ ପୂର୍ବେ ଚାଷୀ କେବଳ ଧାନ ଚାଷ କରି ସାରିବା ପରେ ହାତବାନ୍ଧି ବସୁଥିଲେ। ବର୍ତ୍ତମାନ ସରକାର କୃଷି ବିଭାଗ ମାଧ୍ୟମରେ ଚାଷୀର ଅର୍ଥନୈତିକ ପ୍ରଗତି ପାଇଁ ତୈଳବୀଜ ଚାଷକୁ ଅଧିକ ଗୁରୁତ୍ଵ ଦେଉଛନ୍ତି। ସେହି କ୍ରମରେ ଚଳିତ ବର୍ଷ କୋକସରା ବ୍ଳକର ଅଣ ଜଳସେଚିତ ଅଞ୍ଚଳର ଚାଷୀମାନେ ତୈଳବୀଜ ଚାଷ ଆରମ୍ଭ କରି ବିଶେଷ ଲାଭବାନ ହେବାର ଲକ୍ଷ ରଖିଥିବାବେଳେ ସୂର୍ଯ୍ୟମୁଖୀ ଚାଷ ପ୍ରତି ଚାଷଙ୍କ ଆଗ୍ରହ ବଢ଼ିଛି। ସୂର୍ଯ୍ୟମୁଖୀ ଚାଷ ପାଇଁ କୋକସରା ଅଞ୍ଚଳର ମୁର୍ତ୍ତିକା ଓ ଜଳବାୟୁ ଅତି ଉତ୍ତମ ରହିଛି। କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ବିହନ ଯୋଗାଇ ଦିଆଯିବା ସହ ବୈଷୟିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି। ତେଣୁ ଏହି ଚାଷ ପ୍ରତି ଆଗ୍ରହ ପ୍ରକାଶ କରି ବଡପୋଡାଗୁଡା ଗ୍ରାମ ପଞ୍ଚାୟତର ତଲାଗାଁ, ଭାଲିଆଯୋର, ତେଲିଗୁଡା, ସର୍ଗିଗୁଡା, ରଏନଗୁଡା, ବଡ଼ପୋଡ଼ାଗୁଡ଼ା ଆଦି ଗ୍ରାମର ଚାଷୀ ହେକ୍ଟର ହେକ୍ଟର ଜମିରେ ଉତ୍ତମ ମାନର ସୂର୍ଯ୍ୟମୁଖୀ ଚାଷ କରିଥିବା ଦେଖିବାକୁ ମିଳିଛି। ବ୍ଳକର ବଡପୋଡାଗୁଡ଼ା, ମହିମା, ପୋଡାଗୁଡା, ରେଙ୍ଗଲପାଲି, ଟେମରା, ଡହଗାଁ ଆଦି ଗ୍ରାମ ପଞ୍ଚାୟତର ହେକ୍ଟର ହେକ୍ଟର ଜମିରେ ସୂର୍ଯ୍ୟମୁଖୀ ଚାଷ କରାଯାଇଛି। ଏପଟେ ଚାଷୀଙ୍କୁ ଅଧିକ ସହାୟତା ଯୋଗାଇ ଦେବା ସହ ବିକ୍ରୀ ବ୍ୟବସ୍ଥା ସୁବିଧା କରାଇଲେ ଏହି ଚାଷ ପ୍ରତି ଅନେକ ଚାଷୀ ଆଗ୍ରହ ପ୍ରକାଶ କରିବେ ବୋଲି ଅଞ୍ଚଳର ଚାଷୀମାନେ ମତ ପ୍ରକାଶ କରିଛନ୍ତି। ଏହି ଅଞ୍ଚଳର ଚାଷୀ ଧାନ ବ୍ୟାତିତ ମକା, ପିଆଜ ଓ ମାଣ୍ଡିଆ ଚାଷରେ ଅନେକ ସଫଳତା ପାଇ ଲାଭବାନ ହୋଇ ପାରିଥିବାବେଳେ ଏବେ ସୂର୍ଯ୍ୟମୁଖୀ ଚାଷ ପ୍ରତି ଚାଷୀ ଆଗ୍ରହ ବଢ଼ାଇ ବିଶେଷ ଲାଭବାନ ହେବାର ଲକ୍ଷ ରଖିଛନ୍ତି। ଅନ୍ୟପଟେ ସରକାରୀ ସ୍ତରରେ ମଣ୍ଡି ବ୍ୟବସ୍ଥା କରିବା ସହିତ ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା, ଏବୂ ଆବଶ୍ୟକ ତାଲିମ୍ ଦେଲେ ଅଞ୍ଚଳର ଅନେକ ଚାଷୀ ତୈଳବୀଜ ଚାଷ କରି ଅଧିକ ରୋଜଗାର କରି ପାରନ୍ତି ବୋଲି ଅଞ୍ଚଳର ପୁରୁଖା ଚାଷୀମାନେ ମତ ପ୍ରକାଶ କରିଛନ୍ତି।