
ବିଡିଓଙ୍କ ନିକଟରେ ଫେରାଦ ହେଲେ ହିତାଧିକାରୀ
କୋକସରା, ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ହିତାଧିକାରୀ ଚୟନ ନିମନ୍ତେ ସର୍ଭେ କାର୍ଯ୍ୟ ଜାରି ରହିଛି। ଯୋଗ୍ୟ ହିତାଧିକାରୀକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମଲିବ। ଏଥିରୁ ବାଦ୍ ପଡ଼ିଥିବା ଓ ସମାଜର ଦୁର୍ବଳ ବର୍ଗର ସବୁ ଲୋକଙ୍କୁ ରାଜ୍ୟରେ ଅନ୍ତୋଦୟ ଗୃହ ଯୋଜନାରେ ପକ୍କାଘର ଯୋଗାଇ ଦିଆଯିବ। ଏଥିପାଇଁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଘର କୁ ଘର ଯାଇ ବ୍ଳକ ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସମେତ କର୍ମଚାରୀ ମାନେ ସର୍ଭେ କରୁଛନ୍ତି। ହେଲେ ଏହି ସର୍ଭେ କାର୍ଯ୍ୟରେ ମଧ୍ୟ ଅଧିକାରୀ ମାନଙ୍କ ମନମାନି ଚାଲିଥିବା ଅଭିଯୋଗ ହୋଇଛି। ଏଭଲି ଅଭିଯୋଗ କରି ଗୁରୁବାର କୋକସରା ବ୍ଳକ କାଶିବାହାଲ ଗ୍ରାମ ପଞ୍ଚାୟତ ନୁଆପଡାର ୩୦ରୁ ଉର୍ଦ୍ଧ ହିତାଧିକାରୀ ବିଡ଼ିଓଙ୍କ ନିକଟରେ ଫେରାଦ ହୋଇଛନ୍ତି। ସେମାନଙ୍କ ଅଭିଯୋଗ ହେଲା କାଶିବାହାଲ ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଗି ହିତାଧିକାରୀ ଚୟନ ନିମନ୍ତେ ସର୍ଭେ କାର୍ଯ୍ୟ ସରିଥିବାବେଳେ ଆଜି ପର୍ଯ୍ୟନ୍ତ ନୂଆପଡାରେ ସର୍ଭେ ହୋଇପାରିନାହିଁ। ଯାହାକୁ ନେଇ ହିତାଧିକାରୀ ମାନେ ବାରମ୍ବାର ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଅନ୍ୟ କର୍ମଚାରୀ ମାନଙ୍କୁ ଜଣାଇ ଥିଲେ ମଧ୍ୟ ସେମାନେ ଉକ୍ତ ପଡାରେ ସର୍ଭେ କରୁ ନାହାନ୍ତି। ଏବଂ ମନମାନି କରୁଛନ୍ତି। ଫଳରେ ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବାଦ ପଡିବା ନେଇ ଆଶଂକା କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏବଂ ଆଜି ଗ୍ରାମର ଶୋଭାସିନୀ ଶବରଙ୍କ ନେତୃତ୍ବରେ ମହିଳାମାନେ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ଏବଂ ସେଠାରେ କାଶିବାହାଲ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦେଖିବାପରେ ମହିଳାମାନେ ଘେରି ଯାଇ ତାଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଥିଲେ। ଅନ୍ୟପଟେ ଅଧିକାରୀ ଜଣକ ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଅସମର୍ଥ ହୋଇଥିଲେ। କିଛି ସମୟ ପାଇଁ ବ୍ଳକ କାର୍ଯ୍ୟାଳୟ ଭିତରେ ହୋହାଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ଅସନ୍ତୋଷ ହିତାଧିକାରୀ ମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀଙ୍କ ନିକଟରେ ପହଞ୍ଚି ଆବାସ ଯୋଜନା ସର୍ଭେ ଦାୟୀତ୍ବରେ ଥିବା ଅଧିକାରୀ ଓ କର୍ମଚାରୀ ମାନେ ଅବହେଳା କରୁଥିବା ନେଇ ଅଭିଯୋଗ କରିଥିଲେ। ବିଡ଼ିଓ ମାଝୀ ଅଭିଯୋଗକୁ ଗୁରୁତ୍ୱ ଦେଇ ତୁରନ୍ତ ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଡାକି ସର୍ଭେ ପାଇଁ ପଠାଇଥିଲେ। ଏହାପରେ ମହିଳା ମାନେ ଶାନ୍ତ ହୋଇ ଫେରିଥିଲେ।