ବେପାରୁଆ ବାଲି ଉଠାଣ ପାଇଁ ଗଲା ଏକ ଯୁବ ଜୀବନ,ନଦୀ ପାର୍ଶ୍ୱରେ ଶିଶୁମାନଙ୍କ ନିରାପତ୍ତା ଉପରେ ଉଠୁଛି ବଡ଼ ପ୍ରଶ୍ନ ?
ଶବ ରଖି ଧାରଣା, ତହସିଲ୍ ଘେରି ନ୍ୟାୟ ଦାବି,ଆନ୍ଦୋଳନକାରୀ ସହିତ ପ୍ରଶାସନ ଆଲୋଚନା ପରେ ରାତି ୮ଟାରେ ଆନ୍ଦୋଳନ ପ୍ରତ୍ୟାହୃତ
କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ କର୍ମେଲି ହାତୀନଦୀରେ ବୁଡ଼ି, କଲମପୁର ଗ୍ରାମର ଜୀତେନ୍ଦ୍ର ନାଏକ (୨୪) ଙ୍କ ମୃତ୍ୟୁ ଘଟିଛି। ସୋମବାର ପୂର୍ବାହ୍ନ ୧୧ଟା ସମୟରେ, ଜୀତେନ୍ଦ୍ର ତାଙ୍କ ୨ ପୁତୁରା ଓ ଜଣେ ସମ୍ପର୍କୀୟ ଭାଇ ସହିତ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ପାଣି କମ୍ ଥିଲେ ମଧ୍ୟ, ବାଲି ଉଠାଣ ଯନ୍ତ୍ର (JCB) ଦ୍ବାରା ଉତ୍ତୋଳନ ହେଉଥିବାରୁ ନଦୀ ଭିତରେ ଗଭୀର ଗର୍ତ୍ତ ତିଆରି ହୋଇଥିବା କୁହାଯାଉଛି। ଶିଶୁମାନେ ସେଠି ବୁଡିଯାଉଥିବା ଦେଖି, ଜୀତେନ୍ଦ୍ର ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ନିଜେ ଉକ୍ତ ଗର୍ତ୍ତରେ ବୁଡିଯାଇଥିଲେ।
ସମ୍ପର୍କୀୟ ଭାଇ ତାଙ୍କୁ ଖୋଜାଖୋଜି କରି ପାଇନଥିଲେ। ପରେ ଖବର ପାଇଁ ଗାଁଲୋକେ ଉଦ୍ଧାର ଚେଷ୍ଟା କରିଥିଲେ, କିନ୍ତୁ ବ୍ୟର୍ଥ ହୋଇ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ଜୀତେନ୍ଦ୍ରଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ, ଯେଉଁଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜୀତେନ୍ଦ୍ର ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ଓ ବାହାର ରାଜ୍ୟରେ କାମକରି ପରିବାର ପ୍ରତିପୋଷଣ କରୁଥିଲେ। ଗତ ୧୭ ତାରିଖ ତାଙ୍କ ବଡ଼ଭାଇଙ୍କ ବିବାହ କାର୍ଯ୍ୟକ୍ରମ ପାଇଁ ଗାଁକୁ ଆସିଥିଲେ।
ଏହି ଦୁଃଖଦ ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗ୍ରାମବାସୀମାନେ ଠିକାଦାରଙ୍କ ବେପାରୁଆ କାର୍ଯ୍ୟକୁ ଦାୟୀକରି ଶବକୁ ରାସ୍ତା ଉପରେ ରଖି କଲମପୁର ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ କଲମପୁର ଜୁନାଗଡ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ।
ସୂଚନା ପାଇଁ ଘଟଣାସ୍ଥଳରେ ଉପସ୍ଥିତ ହୋଇ ତହସିଲଦାର ସ୍ମରଣିକା ତୁଳ, ଖଣି ବିଭାଗ ଅଧିକାରୀ ବିକାଶ ପଟ୍ଟନାୟକ ଓ ଥାନା ଅଧିକାରୀ ନୀଳାମ୍ବର ଜାନୀ, ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ଆନ୍ଦୋଳନକାରୀଙ୍କ ପକ୍ଷରୁ ମୃତ ପରିବାର ପାଇଁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ହୋଇଥିଲା, ଯାହା ଠିକାଦାର ପକ୍ଷରୁ ୧ ଲକ୍ଷ ଓ ଖଣି ବିଭାଗ ପକ୍ଷରୁ ୫୦,୦୦୦ ଟଙ୍କା ନଗଦ ଦିଆଯାଇଥିଲା।
ତହସିଲଦାର ସ୍ମରଣିକା ତୁଳ ଆନ୍ଦୋଳନକାରୀଙ୍କୁ ସୂଚନା ଦେଇଛନ୍ତି ଯେ, ଅପମୃତ୍ୟୁ ମାମଲା ଅନ୍ତର୍ଗତ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସରକାରୀ ସହାୟତା ରୂପେ ୪ ଲକ୍ଷ ଟଙ୍କା ମିଳିପାରିବ ଓ ରେଡକ୍ରସ ପକ୍ଷରୁ ଏକ ତୁରନ୍ତ ସହାୟତା ବାବଦରେ ୧୦,୦୦୦ ଟଙ୍କା ମିଳିବ। ଏହି ପ୍ରତିଶ୍ରୁତି ପରେ ରାତି ୮ ଟା ସମୟରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।