
ଭବାନୀପାଟଣା: ତାରିଖ ୨୪ ଅପ୍ରେଲ ୨୦୨୫ରେ କଳାହାଣ୍ଡି ଜିଲ୍ଲାରେ ୧୬ତମ ଜାତୀୟ ପଞ୍ଚାୟତିରାଜ ଦିବସ ସ୍ଥାନୀୟ ଟାଉନହଲ, ଭବାନୀପାଟଣା ଠାରେ ଜିଲ୍ଲା ପ୍ରଶାସନ ଦ୍ଵାରା ଅତ୍ୟନ୍ତ ଉତ୍ସାହ ଓ ଆନୁଷ୍ଠାନିକତା ସହକାରେ ପାଳିତ ହୋଇଯାଇଛି। ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୟାମୟ ପାଢ଼ୀ, ଉପଜିଲ୍ଲାପାଳ ଶ୍ରୀ ପ୍ରଭାତ କୁମାର ପରିଡ଼ା, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଶ୍ରୀ ଜୟଶଙ୍କର ନାୟକ, ସଦର ବିଧାୟକଙ୍କ ପ୍ରତିନିଧି ଶ୍ରୀ ଧନୁର୍ଜୟ ଗହୀର, ଧର୍ମଗଡ଼ ବିଧାୟକଙ୍କ ପ୍ରତିନିଧି ଶ୍ରୀ ଜଗବନ୍ଧୁ ସାହୁ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ପବିତ୍ର କୁମାର ସାହୁ, ଭବାନୀପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଚନ୍ଦନ ଭୋଇ ଏବଂ ତହସିଲଦାର ଶ୍ରୀମତୀ ସୁଚିସ୍ମିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସମାରୋହର ପ୍ରାରମ୍ଭରେ ଶ୍ରୀ ପାଢ଼ୀ ସମସ୍ତଙ୍କୁ ସ୍ଵାଗତ ଜଣାଇ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନର ଔଚିତ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ସେ ଜିଲ୍ଲାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମଜିଏନଆରଇଜିଏ)ର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ। ଆର୍ଥିକ ବର୍ଷ ୨୦୨୪-୨୫ରେ ଜିଲ୍ଲାରେ ମୋଟ ୧,୨୦,୬୬୫ଟି ପ୍ରକଳ୍ପ ଗ୍ରହଣ କରାଯାଇଛି, ଯେଉଁଥିରୁ ୨୮,୩୮୯ଟି ସମ୍ପୂର୍ଣ୍ଣ ହୋଇଛି ଏବଂ ୫୧,୩୭୬ଟି ଚାଲୁ ରହିଛି। ଏଥି ମଧ୍ୟରୁ ୧୯,୧୮୧ଟି ଜଳ ସଂରକ୍ଷଣ ଓ ଜଳ ସଂଗ୍ରହ ପ୍ରକଳ୍ପ ଗ୍ରହଣ କରାଯାଇ ୩,୯୫୪ଟି ସମ୍ପୂର୍ଣ୍ଣ ହୋଇଛି। ସେହିପରି, ୫,୪୭୩ଟି ଗ୍ରାମୀଣ ସଂଯୋଗ ପ୍ରକଳ୍ପ ମଧ୍ୟରୁ ୭୦୭ଟି ସମ୍ପୂର୍ଣ୍ଣ, ୨,୮୦୦ଟି ପାରମ୍ପରିକ ଜଳାଶୟ ପୁନରୁଦ୍ଧାର ପ୍ରକଳ୍ପ ମଧ୍ୟରୁ ୫୪୬ଟି ସମ୍ପୂର୍ଣ୍ଣ ଏବଂ ୭,୨୪୦ଟି ଭୂମି ଉନ୍ନୟନ ପ୍ରକଳ୍ପ ମଧ୍ୟରୁ ୨,୧୭୨ଟି ସମ୍ପୂର୍ଣ୍ଣ ହୋଇଛି। ଏହାସହ, ସ୍ଵଚ୍ଛ ଭାରତ ମିଶନ (ଏସବିଏମ) ଅଧୀନରେ ୧,୯୭୬ଟି ଗ୍ରାମକୁ ଓଡିଏଫ ପ୍ଲସ ମଡେଲ ଗ୍ରାମ ଭାବେ ଘୋଷଣା କରାଯାଇଛି ଏବଂ ୩,୬୮,୬୧୧ଟି ସୌଚାଳୟ ନିର୍ମାଣ କରାଯାଇଛି। ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ପାୱାର ତାଙ୍କ ଅଭିଭାଷଣରେ ପଞ୍ଚାୟତିରାଜ ବ୍ୟବସ୍ଥାର ଗୁରୁତ୍ଵ ଓ ଏହାର ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରି ଜିଲ୍ଲା ତଥା ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସମସ୍ତଙ୍କର ସକ୍ରିୟ ସହଯୋଗ ଓ ଅଂଶଗ୍ରହଣର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ସିଂହଦେଓ କହିଥିଲେ, “ଗ୍ରାମର ବିକାଶ ହିଁ ଜିଲ୍ଲାର ବିକାଶର ମୂଳଦୁଆ ଏବଂ ଜିଲ୍ଲାର ଉନ୍ନତି ରାଜ୍ୟର ସମୃଦ୍ଧିର ପଥ ପ୍ରଶସ୍ତ କରିବ। ଏଥିପାଇଁ ସମସ୍ତଙ୍କର ସମନ୍ଵିତ ପ୍ରୟାସ ଅପରିହାର୍ଯ୍ୟ।” ଅନ୍ୟ ଅତିଥିମାନେ ପଞ୍ଚାୟତିରାଜ ବ୍ୟବସ୍ଥା ମାଧ୍ୟମରେ ମହିଳା ସଶକ୍ତିକରଣ ଏବଂ ଗ୍ରାମୀଣ ଅଞ୍ଚଳର ଅଭିବୃଦ୍ଧି ଓ ସମୃଦ୍ଧି ଉପରେ ଗୁରୁତ୍ଵ ଦେଇଥିଲେ। ଏହି ଅବସରରେ ୧୦ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରାଯାଇଥିଲା। ଏହାସହ, ଉତ୍କୃଷ୍ଟ କାର୍ଯ୍ୟ ଦକ୍ଷତା ପାଇଁ ଜିଲ୍ଲାର ଏ, ବି ଓ ସି ଗ୍ରେଡ ତାଲିକାଭୁକ୍ତ ଗ୍ରାମ ପଞ୍ଚାୟତମାନଙ୍କୁ ପୁରସ୍କାର ରାଶି ସ୍ଵରୂପ ଡମି ଚେକ ଏବଂ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ରାଜ୍ୟସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ଯୋଗଦେଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସରକାରୀ ଉନ୍ନୟନମୂଳକ ଯୋଜନାଗୁଡ଼ିକ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ ସୁଚାରୁ ରୂପେ ପରିଚାଳନା କରି ,ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
ଅଧିକ ଖବର ପାଇଁ www.http//Thesatyayug.in ରେ login କରନ୍ତୁ