
ଧର୍ମଗଡ (କଳାହାଣ୍ଡି), ୨୮ ଏପ୍ରିଲ ୨୦୨୫: କଳାହାଣ୍ଡି ଜିଲ୍ଲାର ଧର୍ମଗଡ ନିକଟସ୍ଥ ଗୋଡ଼ଭଞ୍ଜା ଗ୍ରାମରେ ଖୁଲମଖୁଲା ଚାଲିଥିବା ବେଆଇନ ବିଦେଶୀ ମଦ କାରବାର ଉପରେ ଧର୍ମଗଡ ଥାନା ପୋଲିସ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲାରଙ୍କ ନେତୃତ୍ୱରେ ଆଜି ସକାଳେ ଗୋଡ଼ଭଞ୍ଜା ଗ୍ରାମରେ ଚଢ଼ାଉ କରାଯାଇ ୨୦୧ ଲିଟର ବେଆଇନ ବିଦେଶୀ ମଦ ଜବତ ହୋଇଛି। ଏହି ଘଟଣାରେ ଗୋପାଳ ମେହେର (୩୫) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଗୋଡ଼ଭଞ୍ଜା ଗ୍ରାମରେ ବେଆଇନ ମଦ କାରବାର ଚାଲୁଥିବାର ଗୁପ୍ତ ସୂଚନା ଆଧାରରେ ଏହି ଚଢ଼ାଉ କରାଯାଇଥିଲା। ଅଭିଯୁକ୍ତ ଗୋପାଳ ମେହେରଙ୍କ ଘରୁ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ ହୋଇଛି, ଯାହା ଗଚ୍ଛିତ ରଖାଯାଇଥିଲା। ଜବତ ହୋଇଥିବା ମଦର ପରିମାଣ ୨୦୧ ଲିଟର ହୋଇଥିବା ବେଳେ, ଏହା ସହିତ କେଶ ନମ୍ବର ୧୨୪/୨୫ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଧର୍ମଗଡ଼ ଥାନା ଅଞ୍ଚଳ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ଜାତୀୟ ରାଜପଥ କଡ଼ରେ ଅବସ୍ଥିତ। ଏହି ଅଞ୍ଚଳରେ ବହୁ ଦିନ ଧରି ବେଆଇନ ମଦ ଚୋରା ଚାଲାଣ ଚାଲିଥିବାର ଅଭିଯୋଗ ସ୍ଥାନୀୟ ଲୋକଙ୍କ ତରଫରୁ ଉଠୁଥିଲା। ସୂଚନା ଅନୁଯାୟୀ, ଗୋଡ଼ଭଞ୍ଜା ଗ୍ରାମ ଏକ ପ୍ରମୁଖ କେନ୍ଦ୍ର ଭାବେ ବ୍ୟବହୃତ ହେଉଥିଲା, ଯେଉଁଠାରୁ ବିଦେଶୀ ମଦ ଛତିଶଗଡ଼ ସୀମାକୁ ଚୋରା ଚାଲାଣ କରାଯାଉଥିଲା । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଗତ ୨୪ ଏପ୍ରିଲରେ ଧର୍ମଗଡ ଥାନା ପୋଲିସ ଗୋଡ଼ଭଞ୍ଜା ଗ୍ରାମରେ ଅନ୍ୟ ଏକ ଚଢ଼ାଉ କରିଥିଲା। ସେହି ଚଢ଼ାଉରେ ରଘୁଚନ୍ଦ୍ର ମେହେରଙ୍କ ଘରୁ ୨୯.୧୧୫ ଲିଟର ବେଆଇନ ବିଦେଶୀ ମଦ ଜବତ ହୋଇଥିଲା ଏବଂ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଧର୍ମଗଡ ଥାନା ପୋଲିସର ଲଗାତାର ଅଭିଯାନ ଏହି ଅଞ୍ଚଳରେ ବେଆଇନ ମଦ କାରବାରକୁ ରୋକିବା ପାଇଁ ଏକ ଦୃଢ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଧର୍ମଗଡ ସହର ତଥା ଆଖପାଖ ଅଞ୍ଚଳରେ ବେଆଇନ ଦେଶୀ ଓ ବିଦେଶୀ ମଦର ଖୁଲମଖୁଲା ବିକ୍ରି ବୃଦ୍ଧି ପାଉଥିବା ବେଳେ, ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଛନ୍ତି। ତେବେ, ଏହି ଅଞ୍ଚଳରେ ବେଆଇନ ମଦ କାରବାରର ଜାଲ ବିସ୍ତାର ଏକ ଗମ୍ଭୀର ସମସ୍ୟା ହେଉଥିବା ବେଳେ, ଏହାକୁ ସମ୍ପୂର୍ଣ୍ଣ ନିର୍ମୂଳ କରିବା ପାଇଁ ଅଧିକ କଡ଼ା ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ମାମଲାର ତଦନ୍ତ ଜାରି ରହିଛି ଏବଂ ବେଆଇନ ମଦ କାରବାରରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ଅଭିଯାନ ତ୍ୱରାନ୍ୱିତ କରାଯାଇଛି।