
ସୁନ୍ଦରଗଡ଼, ୨୭ ଏପ୍ରିଲ ୨୦୨୫: ସାମାଜିକ ନ୍ୟାୟ ଓ ସମାନତାର ଆଲୋକବର୍ତ୍ତିକା ଜାଳିବା ଲାଗି BAMCEF (Backward and Minority Communities Employees Federation) ଏବଂ ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ସୁନ୍ଦରଗଡ଼ ଜୋନ୍ ସ୍ତରୀୟ ଏକଦିବସୀୟ ପ୍ରଶିକ୍ଷଣ ଶିବିର ଭବାନୀପୁର ଛକସ୍ଥିତ ମାଁ ଦୂର୍ଗା କମ୍ପ୍ଲେକ୍ସଠାରେ ଭାବଗମ୍ଭୀର ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ସମାଜରେ ମୂଳନୀବାସୀ ବହୁଜନଙ୍କ ମଧ୍ୟରେ ସଚେତନତା ଓ ସଂଗଠନର ବାର୍ତ୍ତା ପ୍ରଚାର କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରର ଉଦ୍ଘାଟନ କରିଥିଲେ ଅବସରପ୍ରାପ୍ତ କୃଷି ଅଧିକାରୀ ଶ୍ରୀ ଦିସମ୍ବର ମହାନନ୍ଦିଆ। ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (WESCO) ଶ୍ରୀ ଦ୍ୱିତୀୟା ଗରଡ଼ିଆ ଏବଂ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ ଅବସରପ୍ରାପ୍ତ DIG (CRPF) ଶ୍ରୀ ଦୟାନିଧି ତନ୍ତି। ଏହି ଅବସରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ ସହ ଦୀପ ପ୍ରଜ୍ୱଳନ ଓ ବୁଦ୍ଧ ବନ୍ଦନା କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଶିବିରରେ ପ୍ରଶିକ୍ଷକ ଭାବେ ଉପସ୍ଥିତ ଥିବା ରାଷ୍ଟ୍ରୀୟ ମୂଳନୀବାସୀ ବହୁଜନ କର୍ମଚାରୀ ସଂଘର ରାଜ୍ୟ ସଭାପତି ଶ୍ରୀ ଡମ୍ବରୁଧର ମାଝୀ ସଂଗଠନର ଲକ୍ଷ୍ୟ, ଆଦର୍ଶ ଏବଂ ସାମାଜିକ ପରିବର୍ତ୍ତନରେ କର୍ମକର୍ତ୍ତାଙ୍କ ଭୂମିକା ଉପରେ ଗଭୀର ଆଲୋଚନା କରିଥିଲେ। ତାଙ୍କ ମାର୍ଗଦର୍ଶନରେ ଶତାଧିକ କର୍ମକର୍ତ୍ତା ସାମାଜିକ ଜାଗରଣ, ନେତୃତ୍ୱ ବିକାଶ ଏବଂ ସଂଗଠନ ସୁଦୃଢ଼ୀକରଣ ଆଦି ବିଷୟରେ ତାଲିମ ଗ୍ରହଣ କରିଥିଲେ। ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ସେମାନେ ନିଜ ଅଭିଭାଷଣରେ BAMCEF ଓ ଭାରତ ମୁକ୍ତି ମୋର୍ଚ୍ଚାର ଐତିହାସିକ ଭୂମିକା ଏବଂ ସମାଜରେ ନ୍ୟାୟ ଓ ସମାନତା ପ୍ରତିଷ୍ଠାରେ ଏହାର ଅବଦାନକୁ ଉଜାଗର କରିଥିଲେ। ସେମାନେ କର୍ମକର୍ତ୍ତାମାନଙ୍କୁ ସମାଜରେ ପଛୁଆ ଓ ଅବହେଳିତ ସମୁଦାୟଙ୍କ ଉତ୍ଥାନ ପାଇଁ ଅକ୍ଳାନ୍ତ ପରିଶ୍ରମ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଶିବିର କେବଳ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନୁହେଁ, ବରଂ ସାମାଜିକ ପରିବର୍ତ୍ତନର ଏକ ଜ୍ୱଳନ୍ତ ମଶାଲ ବୋଲି ଉପସ୍ଥିତ କର୍ମକର୍ତ୍ତାମାନେ ମତ ବ୍ୟକ୍ତ କରିଛନ୍ତି। BAMCEFର ଏହି ଉଦ୍ୟମ ମୂଳନୀବାସୀ ବହୁଜନ ସମାଜକୁ ସଶକ୍ତ କରି ଏକ ନ୍ୟାୟପୂର୍ଣ୍ଣ ଓ ସମାନ ଭାରତ ଗଠନରେ ନିଶ୍ଚିତ ଭାବେ ଅବଦାନ ରଖିବ ବୋଲି ଆଶା କରାଯାଉଛି।