
ଧର୍ମଗଡ଼ ୧/୦୫/୨୦୨୫ ଧର୍ମଗତ ବ୍ଳକ ବେହେରା ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଧକ୍କାରେ ରାବଣଗୁଡ଼ା ଗ୍ରାମର ବିବାହିତ ଯୁବକ ଗଣ୍ଡା ରାମ ଗୋପାଳଙ୍କ ମୃତ୍ୟୁ ହୋଇଛି। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ ଉତ୍ତେଜିତ ଗ୍ରାମବାସୀ କ୍ଷତିପୂରଣ ଓ ଆମ୍ବୁଲାନ୍ସ ଚିହ୍ନଟ ଦାବିରେ ଧର୍ମଗଡ଼ ଥାନା ଅନ୍ତର୍ଗତ ଆମ୍ବଗୁଡ଼ା ବେହେରା ଠାରେ ବିଜୁ ଏକ୍ସପ୍ରେସ ରାସ୍ତା ଅବରୋଧ କରିଛନ୍ତି। ମୃତକଙ୍କ ପରିବାରରେ ବିଧବା ମାଆ, ସ୍ତ୍ରୀ ଓ ନଅ ମାସର ଶିଶୁ ପୁତ୍ର ରହିଛନ୍ତି। ଗଣ୍ଡା ରାମ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ, ତେଣୁ ତାଙ୍କ ମୃତ୍ୟୁ ପରେ ପରିବାର ଆର୍ଥିକ ସଙ୍କଟରେ ପଡ଼ିଛି। ପରିବାରର ଭରଣପୋଷଣ ଓ ନ୍ୟାୟ ପାଇଁ ଗ୍ରାମବାସୀ ରାସ୍ତା ଅବରୋଧ କରିଥିବା ବେଳେ, ଘଟଣାସ୍ଥଳରେ କୋକସରା ପୁଲିସ, ଧର୍ମଗଡ଼ ତହସିଲଦାର ଓ ଉପଜିଲ୍ଲାପାଳ ପହଞ୍ଚି ଆଲୋଚନା ଜାରି ରଖିଛନ୍ତି। ଅନ୍ୟପଟେ, ସମସ୍ୟାର ସମାଧାନ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଘୋଷଣା କରିଛନ୍ତି।