
ଭବାନୀପାଟଣା, ୧ ମଇ ୨୦୨୫: କଳାହାଣ୍ଡି ଜିଲ୍ଲାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କବି ଜୟଦେବ ଜୟନ୍ତୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ। କାର୍ଯ୍ୟକ୍ରମରେ ଅତିଥିମାନେ କବି ଜୟଦେବଙ୍କ ଫୋଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ କବି ଜୟଦେବଙ୍କ ଜୀବନୀ ଏବଂ ତାଙ୍କ ଅମର ରଚନା ‘ଗୀତା ଗୋବିନ୍ଦ’ର ମହତ୍ତ୍ଵ ଉପରେ ଆଲୋଚନା ହୋଇଥିଲା। ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଜୟଶଙ୍କର ନାୟକ, ଶିକ୍ଷାବିତ୍ ଲିଙ୍ଗରାଜ ମିଶ୍ର, ଡକ୍ଟର ଉମେଶଚନ୍ଦ୍ର ଶତପଥୀ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ନିହାର ରଞ୍ଜନ ପଣ୍ଡା, ଅଧ୍ୟାପିକା ଡକ୍ଟର ପଳିଶ୍ରୀ ପଟ୍ଟନାୟକ, ଅଧ୍ୟାପକ ଡକ୍ଟର ତପନ କୁମାର ରଥ, ଅଧ୍ୟାପକ ପରମେଶ୍ୱର ମୁଣ୍ଡ, କଳ୍ପନା ରଥ, ବିରଞ୍ଚି ନାରାୟଣ ମୁଣ୍ଡ ଏବଂ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପଶିଙ୍ଗ ରାଉତ ଯୋଗ ଦେଇ ଜୟଦେବଙ୍କ ସାହିତ୍ୟିକ ଅବଦାନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ କବି, ସାହିତ୍ୟିକ, ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଲଧର ନିଆଲଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଜିଲ୍ଲା ସଂସ୍କୃତି ବିଭାଗର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ସଫଳ କରିବାରେ ସହଯୋଗ କରିଥିଲେ।