ଧର୍ମଗଡ଼: ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନା (ଏମଡିଏମ) ପାଇଲଟ ପ୍ରୋଜେକ୍ଟକୁ ସଫଳ କରିବାରେ ନିରନ୍ତର ଅବଦାନ ଦେଉଥିବା ପାଚିକା ସହାୟିକାମାନେ ନିଜର ଅଧିକାର ଓ ମର୍ଯ୍ୟାଦା ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିନା ଛୁଟି, ଅସୁବିଧା ମଧ୍ୟରେ ଅକ୍ଲାନ୍ତ ପରିଶ୍ରମ କରି ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ସଚଳ ରଖିଥିବା ଏହି ସହାୟିକାମାନେ ସରକାରଙ୍କ ଶୋଷଣନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି। ନିଖିଳ ଓଡ଼ିଶା ଏମଡିଏମ ପାଚିକା ସହାୟିକା ସଙ୍ଘର ବ୍ୟାନରରେ, ଏଆଇଟିୟୁସି ନେତୃତ୍ୱରେ, ସୋମବାର ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଛି। ଶତାଧିକ ପାଚିକା ସହାୟିକା ନାରାବାଜି ସହ ଏକ ଶୋଭାଯାତ୍ରାରେ ଅଂଶଗ୍ରହଣ କରି ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଘେରାଓ କରିଥିଲେ। ସେମାନେ ୧୫ ଦଫା ଦାବିର ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ସଙ୍ଘର ରାଜ୍ୟ ସଭାପତି ଅକ୍ଷୟ କୁମାର ମେହେରଙ୍କ ନେତୃତ୍ୱରେ ଏହି ଆନ୍ଦୋଳନରେ ରାଜ୍ୟ ପରିଷଦ ସଭ୍ୟା ଅବନ୍ତୀ ଦଣ୍ଡସେନା, କବିତା ଖର୍ସେଲ, ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟା ବନିତା ବାଗ, ହେମ ନାଏକ, ଧନମତି ଖରସେଲ, କ୍ଷୀର ବାଗ, ରିଖିରାମ ଭାଟି, ଅଯୋଧ୍ୟା ହାତୀ, ଗାୟତ୍ରୀ ଗୋପାଳ, ଦେବକୀ ମାଝୀ, ମାଳସିଲା ନିଆଲ ପ୍ରମୁଖ ସାମିଲ ହୋଇଥିଲେ। ପାଚିକା ସହାୟିକାମାନେ ଅଭିଯୋଗ କରିଛନ୍ତି ଯେ, ସରକାର ସେମାନଙ୍କ ଶ୍ରମର ଶୋଷଣ କରୁଛନ୍ତି ଏବଂ ନ୍ୟୁନତମ ପାରିଶ୍ରମିକ ପ୍ରଦାନ କରି ଅନ୍ୟାୟ କରୁଛନ୍ତି । ତେବେ ସେମାନଙ୍କ ମୁଖ୍ୟ ଦାବିଗୁଡ଼ିକ ହେଲା: ପାଚିକା ସହାୟିକାଙ୍କୁ ସରକାରୀ କର୍ମଚାରୀ ଭାବେ ଗ୍ରହଣ କରାଯାଉ ଏବଂ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉ। ୧୦ ମାସ ପରିବର୍ତ୍ତେ ୧୨ ମାସର ପାରିଶ୍ରମିକ ଦିଆଯାଉ। ପିଲାଙ୍କ ସଂଖ୍ୟା କମ ଥିବା କାରଣରୁ ବନ୍ଦ ହୋଇଥିବା ସ୍କୁଲଗୁଡ଼ିକୁ ପୁନର୍ବାର ଖୋଲି ପାଚିକାମାନଙ୍କୁ ନିଯୁକ୍ତି ଦିଆଯାଉ । ମଧ୍ୟାହ୍ନ ଭୋଜନ ବ୍ୟତୀତ ବିଦ୍ୟାଳୟର ଅନ୍ୟାନ୍ୟ କାର୍ଯ୍ୟରେ ବାଧ୍ୟତାମୂଳକ ନିୟୋଜନ ବନ୍ଦ କରାଯାଉ। ମଧ୍ୟାହ୍ନ ଭୋଜନ ଯୋଜନାକୁ ଘରୋଇ ସଂସ୍ଥାକୁ ହସ୍ତାନ୍ତର ବନ୍ଦ କରାଯାଉ। ପାଚିକା ସହାୟିକାଙ୍କ ଅବସର ବା ମୃତ୍ୟୁ ପରେ ସେମାନଙ୍କ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ସୁଯୋଗ ଦିଆଯାଉ। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା ସୁନିଶ୍ଚିତ କରାଯାଉ । ପାଚିକା ସହାୟିକାମାନେ ଅଭିଯୋଗ କରିଛନ୍ତି ଯେ, ସରକାର ସେମାନଙ୍କୁ ନ୍ୟୁନତମ ମଜୁରୀ ନ ଦେଇ କେବଳ ମାନଦେୟରେ ସୀମିତ ରଖିଛନ୍ତି । ଏହାସହ, ସେମାନଙ୍କୁ ବିଦ୍ୟାଳୟର ଅନ୍ୟାନ୍ୟ କାର୍ଯ୍ୟରେ ବାଧ୍ୟତାମୂଳକ ଭାବେ ନିୟୋଜିତ କରାଯାଉଛି, ଯାହା ସେମାନଙ୍କ ପ୍ରାଥମିକ ଦାୟିତ୍ୱ ମଧ୍ୟାହ୍ନ ଭୋଜନ ପରିଚାଳନାରେ ଅତିରିକ୍ତ ଚାପ ସୃଷ୍ଟି କରୁଛି। ଏହି ଅବିଚାର ବିରୁଦ୍ଧରେ ସେମାନେ ଏକଜୁଟ ହୋଇ ନିଜ ଅଧିକାର ଦାବି କରୁଛନ୍ତି।
