
କଲମପୁର, ୧୭ ମଇ ୨୦୨୫: କଳାହାଣ୍ଡି ଜିଲା କଲମପୁର ବ୍ଲକରେ ଶନିବାର ସକାଳ ୧୦ଟା ସମୟରେ ଏସ.ଜି.ଏସ.ୱାଇ ମିଟିଂ ହଲ୍ରେ ‘ଆର୍ଟ ଅଫ ଗିଭିଂ’ର ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରେରଣାରେ ଏକ ଅନୁପମ ଉତ୍ସାହ ଓ ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି। ୨୦୧୩ ମସିହାରୁ ଡ. ସାମନ୍ତଙ୍କ ଜୀବନଦର୍ଶନ ‘ଦୟା ଓ ସେବା’କୁ ଭିତ୍ତି କରି ପାଳିତ ହେଉଥିବା ଏହି କାର୍ଯ୍ୟକ୍ରମ ସମାଜରେ ଉଦାରତା ଓ ପରୋପକାରର ବାର୍ତ୍ତା ପ୍ରଚାର କରୁଛି। ଏହି କାର୍ଯ୍ୟକ୍ରମରେ ସମାଜସେବୀ, ବରିଷ୍ଠ ନାଗରିକ, ସାଧାରଣ ଜନତା, ମିଶନ ଶକ୍ତିର ମହିଳା ସଦସ୍ୟ, ସ୍ବୟଂ ସହାୟକ ଗୋଷ୍ଠୀ (ଏସ.ଏଚ.ଜି), ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ଶୁଭାରମ୍ଭ କିସ୍ ର ଶିକ୍ଷକ, ଅଭିଭାବକ ଓ ଛାତ୍ରୀମାନଙ୍କ ଦ୍ୱାରା ଅତିଥିଙ୍କୁ ସ୍ବାଗତ କରି ଦୀପ ପ୍ରଜ୍ଜ୍ୱଳନ ଓ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା ସହିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ କଲମପୁର ସମିତି ଅଧ୍ୟକ୍ଷ ଚିନ୍ତାମଣି ବେହେରା, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ସତ୍ୟ ନାରାୟଣ ରାଜପୁତ ଏବଂ ସମ୍ମାନିତ ଅତିଥି ଭାବେ ଆଦିବାସୀ ନେତା ପ୍ରସାନ୍ତ ମାଝୀ ଉପସ୍ଥିତ ଥିଲେ। ଏହା ସହ ସାମ୍ବାଦିକ ଚକ୍ରଧର ନାଏକ, ରଞ୍ଜନ କୁମାର ସାହୁ ଏବଂ ଶରତ ଚନ୍ଦ୍ର ସୁନାନୀଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଚଳିତ ବର୍ଷର ବିଷୟବସ୍ତୁ “(NeighborGood)” ଅର୍ଥାତ୍ ‘ପଡୋଶୀଙ୍କ ପାଇଁ ଭଲ କାମ’ ଉପରେ ଆଧାରିତ ଥିଲା। ଏହି ବିଷୟ ପଡୋଶୀଙ୍କ ମଙ୍ଗଳ ଓ ସାହାଯ୍ୟର ମନୋଭାବକୁ ପ୍ରୋତ୍ସାହିତ କରିଥିଲା। ଅତିଥିମାନେ ଡ. ସାମନ୍ତଙ୍କ ନିଷ୍ଠାପର ସେବା ଓ ସମାଜ ପ୍ରତି ଅନନ୍ୟ ଅବଦାନର ଉଚ୍ଚ ପ୍ରଶଂସା କରିଥିଲେ। ସେମାନେ କହିଥିଲେ, ଏହି ଉଦ୍ୟମ ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ସାହାଯ୍ୟ ଓ ଉଦାରତାର ଭାବନା ଜାଗ୍ରତ କରି ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନରେ ସହାୟକ ହେବ। କାର୍ଯ୍ୟକ୍ରମକୁ ଆହୁରି ରୁଚିକର କରିଥିଲା କିସର ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ଗୀତ ଓ ନୃତ୍ୟ, ଯାହା ଉପସ୍ଥିତ ସମସ୍ତଙ୍କ ମନରେ ଏକ ମନୋରମ ପରିବେଶ ସୃଷ୍ଟି କରିଥିଲା। କିସର ମେନେଜମେଣ୍ଟ ଷ୍ଟାଫ ସୁବାସ ସା ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଚକ୍ରଧର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଜନସାଧାରଣଙ୍କ ମଧ୍ୟରେ ଏକତା, ସହଯୋଗ ଓ ସେବାର ମହତ୍ତ୍ୱକୁ ପୁନଃ ସ୍ଥାପିତ କରିଥିଲା। ‘ଆର୍ଟ ଅଫ ଗିଭିଂ’ର ଏହି ଆୟୋଜନ କଲମପୁର ବ୍ଲକରେ ସମାଜସେବା ଓ ପରୋପକାରର ଏକ ନୂଆ ପ୍ରେରଣା ସୃଷ୍ଟି କରିଛି, ଯାହା ଆଗାମୀ ଦିନରେ ସମାଜରେ ଇତିହାସ ରଚିବ ବୋଲି ଆଶା କରାଯାଉଛି।