କୋକସରା, ୧୮/୦୫/୨୦୨୫: କୋକସରା ଥାନା ଅନ୍ତର୍ଗତ ସୁନାମାଲ ଗାଁ ନିକଟସ୍ଥ ନଦୀକୂଳରେ ଥିବା ଏକ ଗଛରୁ ରବିବାର ସକାଳେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତା ମହିଳା ସୁନାମାଲ ଗ୍ରାମର ଶକ୍ତି ପରାଭୋଏଙ୍କ ସ୍ତ୍ରୀ ବୈଜୟନ୍ତୀ ପରାଭୋଏ (୨୦) ବୋଲି ଚିହ୍ନଟ ହୋଇଛି। ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରୁ ବୈଜୟନ୍ତୀ ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୋୖଣସି ସନ୍ଧାନ ମିଳିନଥିଲା। ରବିବାର ସକାଳେ ନଦୀକୂଳର ଗଛରେ ଝୁଲୁଥିବା ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଖବର ପାଇ କୋକସରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ପରେ ସାଇଣ୍ଟିଫିକ୍ ଟିମ୍ର ସହାୟତାରେ ତଦନ୍ତ କରାଯାଇ ପରିବାର ଲୋକଙ୍କ ଉପସ୍ଥିତିରେ ଶବ ଜବତ କରାଯାଇଥିଲା। ଶବକୁ ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ପୁଲିସର ପ୍ରାଥମିକ ତଦନ୍ତରୁ, ବୈଜୟନ୍ତୀ ନିଜ ଶାଢ଼ୀରେ ଫାଶୀ ଲଗାଇଥିବା ଜଣାପଡ଼ିଛି ଏବଂ ଏହା ଆତ୍ମହତ୍ୟା ହୋଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ଏହାର ନିର୍ଦ୍ଦିଷ୍ଟ କାରଣ କିମ୍ବା ଅନ୍ୟ କୌଣସି ରହସ୍ୟ ଥାଇପାରେ ତାହା ସ୍ପଷ୍ଟ ହୋଇନାହିଁ। ଏନେଇ କୋକସରା ଥାନାରେ ଏକ ମାମଲା ଅସ୍ୱାଭାବିକ ମୃତ୍ୟୁ (ୟୁଡି ରେଜିଷ୍ଟ୍ରେସନ) କରି ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।