
ଥୁଆମୁଳ ରାମପୁର (ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଥୁଆମୁଳ ରାମପୁର ବ୍ଲକ୍ର କଳାକାରମାନେ ରାଜ୍ୟସ୍ତରୀୟ ସମ୍ମାନ ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଗତ ୨୨ ମଇ ଗୁରୁବାର ଭୁବନେଶ୍ୱରର ଜୟଦେବ ଭବନଠାରେ ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନ୍, ଖୋର୍ଦ୍ଧା ଦ୍ୱାରା ଆୟୋଜିତ ୧୧ତମ ଚଳଚ୍ଚିତ୍ର ପୁରସ୍କାର, କବି କଳାକାର ମହାକୁମ୍ଭ, ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଓ ବନ୍ଧୁ ମିଳନ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଥୁଆମୁଳ ରାମପୁରସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଜାନୁଆରୀ ୨୦୨୫ରେ କଳାହାଣ୍ଡି ଜିଲ୍ଲାର ବ୍ଲକ୍ସ୍ତରୀୟ ଲୋକ ମହୋତ୍ସବ ଓ ଘୁମୁରା ଉତ୍ସବରେ ପରିବେଷିତ ଲୋକନୃତ୍ୟ ଓ ଲୋକବାଦ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଏହାକୁ ଉଚ୍ଚ ପ୍ରଶଂସା କରିଥିଲେ। ଫଳସ୍ୱରୂପ, ବିଦ୍ୟାଳୟର ନୃତ୍ୟଗୁରୁ ଅଜିତ କୁମାର ଦୁର୍ଗାଙ୍କୁ “କଳାନୀଧି ସମ୍ମାନ” ଏବଂ ପ୍ରଧାନ ଶିକ୍ଷକ ନାଗେଶ୍ୱର ନାଏକ ଓ ଛାତ୍ରଛାତ୍ରୀ ତେଜସ୍ୱୀନୀ ନାଏକ, ସୋନମ ବାଗ, ପୁନମ ବାଗ, ସୋହାନୀ ନାଏକ, ମାହି ଦଳପତି, ଦୁଷିଳା ନାଏକ, ଉତ୍କଳଜୌତି ନାଏକ, ନିୟୁତି ନାଏକ, ଅନୁରାଧା ଗୋପାଳ, ମିତା ଗୋପାଳ, ସ୍ନିତି ନାଏକ, ନିକିତା ନାଏକ ଓ ତମନ୍ନା ନାଏକଙ୍କୁ “ଉତ୍କଳ ନୃତ୍ୟ ମଞ୍ଜରୀ ସମ୍ମାନ” ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନ୍ର ସମ୍ପାଦକ ଡକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା, ଅଲ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍ର ସଭାପତି ଦେବକାନ୍ତ ମିଶ୍ର, ପୂର୍ବତନ ସଭାପତି ଅଶ୍ରୁ ମୋଚନ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଚିକିଟି ବିଧାୟକ ଦେୟାନ ସାମନ୍ତ ରାୟ, ଖୋର୍ଦ୍ଧା ବିଜେପି ସଭାପତି ବିଶ୍ୱରଞ୍ଜନ ବଡ଼ଜେନା ପ୍ରମୁଖ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ଅତିଥିମାନେ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ସଫଳତା ଥୁଆମୁଳ ରାମପୁର ଅଞ୍ଚଳବାସୀ ଓ କଳାପ୍ରେମୀଙ୍କ ମନରେ ଆନନ୍ଦର ଲହରୀ ସୃଷ୍ଟି କରିଛି। ଏହା ଅନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ହେବ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।