
କଲମପୁର (ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର କଲମପୁର ଥାନା ଅନ୍ତର୍ଗତ ଦେପୁର ଗ୍ରାମର ୬୫ ବର୍ଷୀୟ ରୂପସିଂ ମାଝୀ ଗତ ୧୮ ମଇ ସନ୍ଧ୍ୟାରୁ ନିଖୋଜ ଥିବା ନେଇ ପରିବାର ଲୋକେ କଲମପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। କିଛି ଦିନ ପରେ, ଗାଁ ନିକଟସ୍ଥ ବଡ ବନ୍ଧ ପୋଖରୀ ଆଖପାଖରେ ରକ୍ତଛିଟା ଓ ରୂପସିଂ ମାଝୀର ଟଙ୍କା, ପଇସା ଏବଂ ବସ୍ତ୍ର ଦେଖିବାକୁ ପାଇ ପରିବାର ଲୋକେ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡର ସନ୍ଦେହ କରି ପୁନର୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ । କଲମପୁର ପୋଲିସ, ଅଗ୍ନିଶମ ବାହିନୀ, ଓ ବଲାଙ୍ଗୀର ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ଦିନ ଧରି ଖୋଜାଖୋଜି କରିଥିଲେ, କିନ୍ତୁ କୌଣସି ସୁରାଗ ମିଳିନଥିଲା। ସାଇଣ୍ଟିଫିକ୍ ଟିମ୍ ନମୁନା ସଂଗ୍ରହ କରି ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଥିଲେ। କଳାହାଣ୍ଡି ଏସ୍ପିଙ୍କ ନିର୍ଦେଶକ୍ରମେ ଜୟପାଟଣା, ଜୁନାଗଡ଼ ଓ କଲମପୁର ପୋଲିସଙ୍କୁ ନେଇ ଗଠିତ ଏକ ଟିମ୍ ଗାଁରୁ ଫେରାର କିଛି ଯୁବକଙ୍କୁ ଖୋଜିଥିଲା। ତଦନ୍ତରେ ଦେପୁର ଗ୍ରାମର ଲିଙ୍ଗରାଜ ମାଝୀଙ୍କୁ ସନ୍ଦେହଜନକ ଭାବେ ଚିହ୍ନଟ କରାଯାଇଥିଲା।ଗୋଆ ପୋଲିସର ସହଯୋଗରେ ଲିଙ୍ଗରାଜଙ୍କୁ ଗୋଆରୁ ଗିରଫ କରାଯାଇ ଗାଁକୁ ଆଣି ତଦନ୍ତ ଜାରି ରଖାଯାଇଥିଲା। ଲିଙ୍ଗରାଜ ନିଜ ଅପରାଧ ସ୍ୱୀକାର କରିଛନ୍ତି, ସେ ରୂପସିଂଙ୍କୁ ହତ୍ୟା କରି ବଡ଼ବନ୍ଧ ପୋଖରୀରେ ଶବ ଫିଙ୍ଗି ଦେଇଥିବା ପୁଲିସ ଆଗରେ ପ୍ରକାଶ କରିଛନ୍ତି । ବୁଧବାର ସକାଳେ ପୋଲିସ, ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ପୋଖରୀରୁ ମୁଣ୍ଡବିହୀନ ଶବ ଉଦ୍ଧାର କରାଯାଇଥିଲା। ତଥାପି, ଅନେକ ପ୍ରୟାସ ସତ୍ତ୍ୱେ ଶବର ମୁଣ୍ଡ ଏଯାଏ ମିଳିନାହିଁ। ମୁଣ୍ଡ ଖୋଜିବା ପାଇଁ ତଦନ୍ତ ଜାରି ରହିଛି। ପ୍ରାଥମିକ ତଦନ୍ତରୁ ଏହା ଗୁଣିଗାରିଡ଼ି ସନ୍ଦେହରେ ହତ୍ୟା ବୋଲି ଜଣାପଡ଼ିଛି। ମୃତକଙ୍କ ପରିବାର ହତ୍ୟାକାଣ୍ଡ ପଛରେ ଆହୁରି ଅନ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରୁଛନ୍ତି ଓ ଲିଙ୍ଗରାଜଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବି କରିଛନ୍ତି। ଘଟଣାସ୍ଥଳରେ କଳାହାଣ୍ଡି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଶାନ୍ତ ସିଂ ଓ ଶୁଭ୍ରାଂଶୁ ମିଶ୍ର, ଏସଡିପିଓ ମୁକ୍ତି କୁମାର କୁଲୁ, କଲମପୁର ଥାନା ଆଇଆଇସି ନୀଳାମ୍ବର ଯାନୀ, ଜୟପାଟଣା ଆଇଆଇସି ମମତା ହେମ୍ବ୍ରମ, ଜୁନାଗଡ଼ ଆଇଆଇସି ଶେଷଦେବ ବେହେରାଙ୍କ ସମେତ ପୋଲିସ ଟିମ୍, ବଲାଙ୍ଗୀର ଓଡ୍ରାଫ ଓ କଲମପୁର ଅଗ୍ନିଶମ ବାହିନୀ ଉପସ୍ଥିତ ଥିଲେ। ଆସନ୍ତାକାଲି ମଧ୍ୟ ଶବର ମୁଣ୍ଡ ଖୋଜାଯିବ ବୋଲି ପୋଲିସ ସୂଚନା ଦେଇଛି।