
ଧର୍ମଗଡ(ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକର ନନ୍ଦୀଗାଁ ପଞ୍ଚାୟତର ମାଲପଡ଼ା ଅଞ୍ଚଳରେ ଏକ ପ୍ରେରଣାଦାୟୀ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ଅବହେଳା ସତ୍ତ୍ୱେ ଜଣେ ଯୁବକଙ୍କ ନିଜସ୍ୱ ଉଦ୍ୟମ ଓ ଖର୍ଚ୍ଚରେ ମରାମତି ହୋଇଛି ଏକ ଶୋଚନୀୟ ରାସ୍ତା, ଯାହା ତିନୋଟି ଗାଁର ଲୋକଙ୍କ ପାଇଁ ଜୀବନାଧାର ସାଜିଛି। ପଣ୍ଡରା ମାଳି ଯୁବ ବାହିନୀ ସଭାପତି ତଥା ଯୁବ ନେତା ଭବାନୀ ଶଙ୍କର ବଣିଆ ନିଜ ଖର୍ଚ୍ଚରେ ନନ୍ଦୀଗାଁ ପଞ୍ଚାୟତର ମଝେନପଦର ଗାଁରୁ ମଣ୍ଡି ଦେଇ ଭାଲୁଡୋବା ଯାଉଥିବା ରାସ୍ତାର ମରାମତି କରିଛନ୍ତି। ଏହି ରାସ୍ତା ଦେଇ ତିନୋଟି ଗାଁର ଲୋକେ ଯାତାୟାତ କରନ୍ତି ଏବଂ ପ୍ରାୟ ୧୦୪୦ ଚାଷୀ ମଣ୍ଡିରେ ଧାନ ବିକ୍ରି ପାଇଁ ନିର୍ଭର କରୁଥିବା ଜଣାଯାଏ । ପୂର୍ବ ସରକାରଙ୍କ ସମୟରେ ନିର୍ମିତ ଏହି ରାସ୍ତା ବର୍ଷ ବର୍ଷ ଧରି ଅବହେଳିତ ହେବା ଯୋଗୁଁ ମରଣାଯନ୍ତା ଅବସ୍ଥାରେ ପହଞ୍ଚିଥିଲା। ଗ୍ରାମବାସୀମାନେ ଏହି ରାସ୍ତାର ମରାମତି ପାଇଁ ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ। କିନ୍ତୁ କୌଣସି ପଦକ୍ଷେପ ନ ନିଆଯିବାରୁ ଭବାନୀ ଶଙ୍କର ନିଜେ ଉଦ୍ୟମ ନେଇ ନିଜ ଖର୍ଚ୍ଚରେ ରାସ୍ତା ମରାମତି କରିଛନ୍ତି। ତାଙ୍କ ଏହି କାର୍ଯ୍ୟ ସ୍ଥାନୀୟ ଚାଷୀ ଓ ଗ୍ରାମବାସୀଙ୍କ ପାଇଁ ବିଶେଷ ସହାୟକ ହୋଇଛି, ଯାହାଦ୍ୱାରା ସେମାନେ ଏବେ ନିରାପଦ ଓ ସୁବିଧାଜନକ ଭାବେ ଯାତାୟାତ କରିପାରୁଛନ୍ତି। ଭବାନୀଙ୍କ ଏହି ପ୍ରୟାସ ଗ୍ରାମବାସୀଙ୍କ ମନରେ ଆଶା ସଞ୍ଚାର କରିଛି ତେବେ, ଏହା ସରକାରୀ ଯୋଜନା ଓ ପ୍ରଶାସନିକ ଦାୟିତ୍ୱରେ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ମଧ୍ୟ ସାମ୍ନାକୁ ଆଣିଛି। ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗ୍ରାମୀଣ ବିକାଶ ପାଇଁ କାମ କରୁଥିବା ଦାବି କରୁଥିବା ବେଳେ, ଏକ ଯୁବକଙ୍କୁ ନିଜ ଖର୍ଚ୍ଚରେ ରାସ୍ତା ମରାମତି କରିବାକୁ ବାଧ୍ୟ ହେବା ସରକାରୀ ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି। ଗ୍ରାମବାସୀମାନେ ଭବାନୀ ଶଙ୍କରଙ୍କ ଏହି ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଛନ୍ତି ଏବଂ ପ୍ରଶାସନକୁ ଦାବି କରିଛନ୍ତି ଯେ ଏଭଳି ଗ୍ରାମୀଣ ରାସ୍ତାଗୁଡ଼ିକର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ସ୍ଥାୟୀ ସମାଧାନ କରାଯାଉ। ଏହି ଘଟଣା ଅନ୍ୟ ଯୁବକମାନଙ୍କ ପାଇଁ ମଧ୍ୟ ଏକ ପ୍ରେରଣା ହେବ ବୋଲି ଆଶା କରାଯାଉଛି।
(ଧର୍ମଗଡରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ)