
ବାଲିଗୁଡ଼ା:( ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାଟାଗୁଡ଼ା ପଞ୍ଚାୟତର ତାଗାକିଆ ଓ ଜାଡିପଡ଼ା ଗ୍ରାମ ନିକଟସ୍ଥ ନବନିର୍ମିତ ବିଜୁ ସେତୁର ପାର୍ଶ୍ୱ ରାସ୍ତା ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ଦୁର୍ବଳ ହୋଇ ଦବିଯାଇଛି। ସୂଚନା ଅନୁଯାୟୀ, ୨୦୨୩-୨୦୨୪ ଆର୍ଥିକ ବର୍ଷରେ ବାଲିଗୁଡ଼ା ଗ୍ରାମ୍ୟ ଉନ୍ନୟନ (ଆରଡି) ବିଭାଗ ପକ୍ଷରୁ ତାଗାକିଆ ଜାତୀୟ ରାଜପଥଠାରୁ ଜାଡିପଡ଼ା ଗ୍ରାମ ମଧ୍ୟ ଦେଇ ବହିଯାଉଥିବା ନାଳ ଉପରେ ବିଜୁସେତୁ ଓ ସଂଯୋଗ ରାସ୍ତା ନିର୍ମାଣ ପାଇଁ ୩ କୋଟି ଟଙ୍କାରୁ ଅଧିକ ଅର୍ଥ ମଞ୍ଜୁର ହୋଇଥିଲା। ଏହି ପ୍ରକଳ୍ପଟି ଏକ ଠିକାଦାର ସଂସ୍ଥା ଦ୍ୱାରା ନିର୍ମାଣଧୀନ ରହିଛି। ସରକାରୀ ନିୟମାନୁସାରେ, ସେତୁର ଉଭୟ ପାର୍ଶ୍ୱରେ ଫିଲଟର ମିଡ଼ିଆ ଏବଂ ବ୍ୟାକ୍ ଫିଲିଙ୍ଗ କାର୍ଯ୍ୟ କରାଯିବା ଆବଶ୍ୟକ, ଯାହା ପାଇଁ ୭ ରୁ ୮ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। କିନ୍ତୁ ଠିକାଦାର ଏହି କାର୍ଯ୍ୟ ନକରି କେବଳ ପିଚୁ ଢଳାଇ ସେତୁର ନିର୍ମାଣ କାମ ସମାପ୍ତ କରିଥିବା ଅଭିଯୋଗ ହୋଇଛି। ଫଳସ୍ୱରୂପ, ନିର୍ମାଣ ସମାପ୍ତ ହେବାର ଦୁଇ ମାସ ନପୁରୁଣୁ ସେତୁର ଉଭୟ ପାର୍ଶ୍ୱ ରାସ୍ତା ଦବିଯାଇଛି। ସରକାରୀ ନିୟମ ଅନୁଯାୟୀ ନିର୍ମାଣ ସ୍ଥଳରେ ସୂଚନା ଫଳକ ଲଗାଇବା ବାଧ୍ୟତାମୂଳକ ଥିବାବେଳେ ଠିକାଦାର ଏହା ପାଳନ କରିନାହାଁନ୍ତି। ଏହି ବିଷୟରେ ଯାନ୍ତ୍ରୀଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ସେତୁର ପାର୍ଶ୍ୱ ରାସ୍ତା ଭାଙ୍ଗିଯାଇଥିବା ଯୋଗୁଁ ନିୟମାନୁଯାୟୀ ପୁନଃନିର୍ମାଣ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ଠିକାଦାର କାହାର ପ୍ରଭାବ ବଳରେ ସରକାରୀ ଅର୍ଥର ଅପଚୟ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଅଞ୍ଚଳବାସୀ ଦାବି କରିଛନ୍ତି ଯେ, ବ୍ରହ୍ମପୁର ଚିଫ କନଷ୍ଟ୍ରକସନ, ଇଆଇସି, ଆରଡବ୍ଲୁଡି ବିଭାଗୀୟ ସେକ୍ରେଟାରୀ ଏବଂ ଭିଜିଲାନ୍ସ ବିଭାଗ କନ୍ଧମାଳ ଜିଲ୍ଲାରେ ନିର୍ମାଣାଧୀନ ସମସ୍ତ ସେତୁ ଓ ରାସ୍ତାର ଗୁଣବତ୍ତା ଯାଞ୍ଚ କରି ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ।