
ନବରଙ୍ଗପୁର:( ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଜମି ଦଲାଲ ଓ କିଛି ସ୍ବାର୍ଥପର ସରକାରୀ କର୍ମଚାରୀଙ୍କ କାରଣରୁ ଆଜି ଶହ ଶହ ଆଦିବାସୀ ନିଜ ଜମି ଓ ସରକାରୀ ଜମି ହରାଇଛନ୍ତି। କୁସୁମୀ ମୌଜାରେ ଜମି ରିଭିଜନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ମହଣ୍ଡି ଗ୍ରାମବାସୀ ଆଣିଥିଲେ। ଏହି ବିଷୟରେ ଉପଜିଲ୍ଲାପାଳଙ୍କ ଗସ୍ତ ସମୟରେ ଗ୍ରାମବାସୀ ଅଭିଯୋଗ ଉପସ୍ଥାପନ କରିଥିଲେ। ଝରିଗାଁ ତହସିଲଦାର ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ରାଜସ୍ୱ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ, ଏହା ସତ୍ତ୍ୱେ ଉକ୍ତ ଜମିରେ ଚାଷ କାର୍ଯ୍ୟ ଜାରି ରହିଥିବା ଦେଖାଯାଇଛି। ଏହାର ବିରୋଧରେ ମହଣ୍ଡି ଗ୍ରାମବାସୀ ଟ୍ରାକ୍ଟର ବନ୍ଦ କରିବାକୁ ଚେଷ୍ଟା କରିଥିଲେ, ଯାହାଫଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ଝରିଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଅଟକ ରଖିଥିଲା। ଅଭିଯୋଗ ଅନୁଯାୟୀ, ମହଣ୍ଡି ଗ୍ରାମର ଏକ ଆଦିବାସୀ ପରିବାର ପୂର୍ବପୁରୁଷଙ୍କ ସମୟରୁ ଏହି ଜମି ଅକ୍ତିଆର କରି ଆସୁଥିବା ବେଳେ, ତିନି ବର୍ଷ ତଳେ ରିଭିଜନ ନାଁରେ ସରକାରୀ ଜମିକୁ ଅଣ-ଆଦିବାସୀଙ୍କ ନାମରେ ପଟ୍ଟା କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ଓ ଆଦିବାସୀ ପରିବାର ଏହି ବିଷୟରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଆଦିବାସୀ ପରିବାରଙ୍କ ନାମରେ ସରକାରୀ ଜମି ପଟ୍ଟା ହୋଇପାରୁନଥିବା ବେଳେ, ଅଣ-ଆଦିବାସୀଙ୍କ ନାମରେ କିପରି ପଟ୍ଟା ହେଲା ବୋଲି ପ୍ରଶ୍ନ ଉଠିଛି।ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଏହି ଜମି କଳେଙ୍କାରୀରେ କିଛି ସରକାରୀ କର୍ମଚାରୀ ଓ ଦଲାଲମାନେ ସମ୍ପୃକ୍ତ ଅଛନ୍ତି। ବର୍ତ୍ତମାନ ଆଦିବାସୀ ପରିବାର ଓ ଗ୍ରାମବାସୀ ନିଜ ପୂର୍ବପୁରୁଷଙ୍କ ଅକ୍ତିଆର କରିଥିବା ଜମି ଛାଡିବାକୁ ନାରାଜ ଥିବା ବେଳେ, ପ୍ରଶାସନ ନିକଟରେ ନ୍ୟାୟ ଦାବି କରୁଛନ୍ତି।