
ରାୟଗଡା:( ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ରାୟଗଡ଼ା ସହରରେ ଚୋରଙ୍କ ଉପଦ୍ରବ ବୃଦ୍ଧି ପାଇଚାଲିଛି। ନିଉ କଲୋନୀରେ ରହୁଥିବା ହୋଟେଲ କୈଳାଶର ମାଲିକ ସୁବ୍ରତ ପତିଙ୍କ ଘରେ ଗତକାଲି ମଧ୍ୟରାତ୍ରିରେ ଏକ ବଡ଼ ଧରଣର ଚୋରି ଘଟିଛି। ସୁବ୍ରତ ଓ ତାଙ୍କ ମା’ ନିଶାମଣି ଆଗ ଘରେ ରହୁଥିବା ବେଳେ ପଛପଟେ ତାଲା ପଡ଼ିଥିବା ଘରେ ଚୋରମାନେ ପ୍ରବେଶ କରିଛନ୍ତି। ଦୁର୍ବୃତ୍ତମାନେ ପଛପଟେ ମୁଖ୍ୟ କବାଟରେ ଥିବା ଗେଡ଼ା କାଟି ଭିତରେ ପଶି ଦୁଇଟି ଆଲମିରା ଭାଙ୍ଗି ୧୦ ଲକ୍ଷ ଟଙ୍କା ନଗଦ, ପ୍ରାୟ ୨୦ ଭରି ସୁନା ଗହଣା ଏବଂ ୧ କେଜିରୁ ଅଧିକ ରୂପା ସାମଗ୍ରୀ ଚୋରି କରି ନେଇଛନ୍ତି। ସକାଳୁ ପଛପଟେ ଘରକୁ ଯିବା ସମୟରେ ସୁବ୍ରତ ଓ ତାଙ୍କ ମା’ କବାଟ ଖୋଲା ଥିବା ଦେଖି ଚୋରି ବିଷୟରେ ଜାଣିପାରିଥିଲେ। ସୁବ୍ରତ ଅନ୍ୟତ୍ର ଘର ନିର୍ମାଣ କାମ ଚାଲୁ ଥିବାରୁ ନଗଦ ଟଙ୍କା ଘରେ ରଖିଥିଲେ, ଯାହା ସବୁତକ ଚୋରି ହୋଇଯାଇଛି। ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦେବା ପରେ ରାୟଗଡ଼ା ଏସଡିପିଓ ଗୌରହରି ସାହୁ, ଆଇଆଇସି ବିକେ କହଁର, ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଦୁର୍ବୃତ୍ତମାନେ ଘରର ପଛପଟେ ପ୍ରବେଶ କରିଥିଲେ। ଘର ନିକଟରେ ଥିବା ସିସିଟିଭି ଫୁଟେଜରେ ଦୁର୍ବୃତ୍ତମାନଙ୍କ କିଛି ଦୃଶ୍ୟ କଏଦ ହୋଇଛି, ଯାହାକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଛି।