
ଭବାନୀପାଟଣା:(ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର ପୁରାତନ ସହର ଜୁନାଗଡ଼ ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର। ଏହି ସହରକୁ ଜାତୀୟ ରାଜପଥ ଏନ୍ ଏଚ୍-୨୬ ମାଧ୍ୟମରେ ଜିଲ୍ଲା ସଦରମହକୁମା ଭବାନୀପାଟଣା ସହିତ ସଂଯୋଗ କରୁଛି ଜାରିଙ୍ଗ, ଯାହା କଳାହାଣ୍ଡିର ଜନସାଧାରଣଙ୍କ ଜୀବନରେଖା ସଦୃଶ। ଏହି ରାଜପଥ ଦେଇ ଛାତ୍ରଛାତ୍ରୀ, ବ୍ୟବସାୟୀ ଓ ସାଧାରଣ ଲୋକେ ଶିକ୍ଷା, ଚିକିତ୍ସା, ସରକାରୀ ଦପ୍ତର,ବ୍ୟବସାୟ ଓ ଦୈନନ୍ଦିନ କାର୍ଯ୍ୟ ପାଇଁ ଦିନରାତି ଯାତାୟାତ କରନ୍ତି। ଜାରିଙ୍ଗର ପ୍ରାକୃତିକ ସୌନ୍ଦର୍ଯ୍ୟ, ଧାର୍ମିକ ସ୍ଥାନ, ସେଣ୍ଟ୍ରାଲ ନର୍ସରୀ, ନବମ ସ୍ୱତନ୍ତ୍ର ପୋଲିସ ବାଟାଲିୟନ ଓ ବିଦ୍ୟାଳୟ ଆଦି ଏହାର ଆକର୍ଷଣ ବଢ଼ାଇଥାଏ। ଗ୍ରୀଷ୍ମରେ ଜଙ୍ଗଲର ମୃଦୁ ପବନ ଓ ଭତ୍ରାଡ୍ୟାମର ନୈସର୍ଗିକ ସୌନ୍ଦର୍ଯ୍ୟ ଯାତ୍ରୀଙ୍କୁ ଆକୃଷ୍ଟ କରିଥାଏ। ବଣଭୋଜି ଓ ଯାନ୍ତ୍ରିକ ଡଙ୍ଗାର ଆନନ୍ଦ ପାଇଁ ଏହା ଯୁବକ-ଯୁବତୀଙ୍କ ମଧ୍ୟରେ ‘ଲଭର୍ସ ପଏଣ୍ଟ’ ଭାବେ ପରିଚିତ। କିନ୍ତୁ, ଏହି ମନୋରମ ପରିବେଶ ମଧ୍ୟରେ ଅପରାଧର କଳା ଛାୟା ଦେଖାଦେଇଛି। ଜାରିଙ୍ଗ ବନମାଳୀପୁର ନିକଟରେ ଏନ୍ ଏଚ୍-୨୬ ଉପରେ ଜଣେ ପୋଲିସ ଅଧିକାରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ଏହା ପୂର୍ବରୁ ୨୦୨୪ରେ ଜଣେ ବନକର୍ମଚାରୀଙ୍କ ସନ୍ଦେହଜନକ ଆତ୍ମହତ୍ୟା ଓ ୨୦୧୯ରେ ଜଣେ ଯୁବତୀଙ୍କ ଗଣବଳାତ୍କାର ଘଟଣା ମଧ୍ୟ ଏହି ଅଞ୍ଚଳରେ ଘଟିଥିଲା। ଏହି ଘଟଣାଗୁଡ଼ିକ ଜାରିଙ୍ଗରେ ଅପରାଧୀଙ୍କ କାର୍ଯ୍ୟକଳାପ ଧିରେ ଧିରେ ବୃଦ୍ଧି ପାଉଥିବା ସୂଚାଇଥାଏ। ପୋଲିସ ପେଟ୍ରୋଲିଂ ଓ ନବମ ସ୍ୱତନ୍ତ୍ର ବାଟାଲିୟନର ରାତ୍ରୀ ପହରା ସତ୍ତ୍ୱେ ଏଭଳି ଅପରାଧ କିପରି ଘଟୁଛି? ଏହା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେଉଥିବା ବେଳେ ଜନସାଧାରଣଙ୍କ ମନରେ ଭୟର କାରଣ ହେଉଛି। ଏହି ଘଟଣାଗୁଡ଼ିକ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପ୍ରତି ଗମ୍ଭୀର ପ୍ରଶ୍ନ ଉଠାଇଛି। ଜାରିଙ୍ଗର ଏହି ଅପରାଧୀକ କାର୍ଯ୍ୟକଳାପ ନିୟନ୍ତ୍ରଣ ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ତୁରନ୍ତ କଡ଼ା ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ରାତ୍ରୀ ପେଟ୍ରୋଲିଂ ବୃଦ୍ଧି, ସୁରକ୍ଷା ବ୍ୟବସ୍ଥା ଜୋରଦାର କରିବା ଓ ଅପରାଧୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ, ଜନସାଧାରଣଙ୍କ ମଧ୍ୟରେ ସୁରକ୍ଷା ଭାବନା ଫେରାଇ ଆଣିବା ପାଇଁ ପ୍ରଶାସନ ଏହାକୁ ଗୁରୁତର ନେବାକୁ ସାଧାରଣରେ ଦାବି ଉଠୁଛି। ଜାରିଙ୍ଗର ପ୍ରାକୃତିକ ସୌନ୍ଦର୍ଯ୍ୟ ସେତେବେଳେ ଜନତା ଉପଭୋଗ କରିବେ ଯେବେ ଅପରାଧର କଳଙ୍କରୁ ମୁକ୍ତ କରିବାକୁ ଜିଲ୍ଲା ପ୍ରଶାସନ ଆଗଭର ହେବ।