
ଭବାନୀପାଟଣା (ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଭବାନୀପାଟଣାସ୍ଥିତ କଳାହାଣ୍ଡି ଜିଲ୍ଲା ଅଦାଲତର ନୂତନ ଭବନ, ଯାହା ଓଏସପିଏଚ ଏଣ୍ଡ ଡବ୍ଲୁସି ଦ୍ୱାରା ୨୨.୫ କୋଟି ଟଙ୍କା ବ୍ୟୟରେ ୨୫ ନଭେମ୍ବର ୨୦୨୦ରେ ନିର୍ମିତ ହୋଇ ୬ ମାର୍ଚ୍ଚ ୨୦୨୧ରେ ଉଦ୍ଘାଟିତ ହୋଇଥିଲା । ଆଧୁନିକ ସୁବିଧାରେ ସଜ୍ଜିତ, ୧୧ଟି କୋର୍ଟ ହଲ୍ ସହିତ କାର୍ଯ୍ୟାଳୟ, ଗ୍ରନ୍ଥାଗାର, ସାକ୍ଷୀ ଅପେକ୍ଷା କକ୍ଷ, ବାର୍ ହଲ୍, ଲିଫ୍ଟ, ପାନୀୟ ଜଳ, ଭିନ୍ନକ୍ଷମଙ୍କ ପାଇଁ ରାମ୍ପ ଓ ପୃଥକ ପାଇଖାନା ସୁବିଧା ଏହାର ଗୌରବ ବଢ଼ାଇଛି।କିନ୍ତୁ ଏହି ଭବ୍ୟ ନ୍ୟାୟମନ୍ଦିରରେ ସମ୍ବିଧାନ ପ୍ରଣେତା ଡଃ. ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପ୍ରତି ଅବହେଳା ନ୍ୟାୟପାଳିକାର ଗାରିମା ଓ ସାମାଜିକ ନ୍ୟାୟ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।
ଅଦାଲତର ମୁଖ୍ୟ ଦ୍ୱାରରେ ମହାତ୍ମା ଗାନ୍ଧୀଙ୍କର ଏକ ସୁସଜ୍ଜିତ ପ୍ରତିମୂର୍ତ୍ତି ବିଧିବଦ୍ଧ ଭାବେ ସ୍ଥାପିତ ହୋଇଛି। ପୂର୍ବ ଦିଗରେ ମଧୁସୂଦନ ଦାସ (ମଧୁବାବୁ)ଙ୍କ ପ୍ରତିମୂର୍ତ୍ତି ମଧ୍ୟ ଯଥୋଚିତ ସମ୍ମାନ ସହିତ ଉନ୍ମୋଚିତ ହୋଇଛି। କିନ୍ତୁ ତା’ ପାଖରେ ଥିବା ଡଃ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଏକ କୋଣରେ ଅଧାଅଧୁରା ଅବସ୍ଥାରେ ପଡ଼ିରହିଛି। ଏହାର ବିଧିବଦ୍ଧ ଉନ୍ମୋଚନ ହୋଇନାହିଁ। ଏହି ଅବହେଳା ଦୀର୍ଘ ଦିନରୁ ଚାଲିଛି, ଯାହା ନ୍ୟାୟପାଳିକାର ସମ୍ମୁଖରେ ସମ୍ବିଧାନର ମୂଲ୍ୟବୋଧ ଓ ସାମାଜିକ ନ୍ୟାୟର ଆଦର୍ଶକୁ ପ୍ରଶ୍ନବାଚୀ କରୁଛି। ଓକିଲ, ଆଇନ ଅଧ୍ୟୟନକାରୀ ଓ ଅଦାଲତକୁ ଆସୁଥିବା ସାଧାରଣ ଜନତା ଏହି ଅସମ୍ମାନଜନକ ଦୃଶ୍ୟକୁ ନିୟମିତ ଦେଖୁଛନ୍ତି। ଡ଼ଃ. ଆମ୍ବେଦକର, ଯିଏ ଭାରତୀୟ ସମ୍ବିଧାନର ପ୍ରଣେତା ଏବଂ ସାମାଜିକ ନ୍ୟାୟ ଓ ସମାନତାର ପ୍ରତୀକ, ତାଙ୍କ ପ୍ରତିମୂର୍ତ୍ତିର ଏପରି ଅବସ୍ଥା ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଓ କ୍ଷୋଭ ସୃଷ୍ଟି କରିଛି। ଏହା ନ୍ୟାୟପାଳିକା ଓ ପ୍ରଶାସନର ଦାୟିତ୍ୱହୀନତାକୁ ସୂଚାଇବା ସହିତ ସାମାଜିକ ନ୍ୟାୟ ପ୍ରତି ଭେଦଭାବକୁ ପ୍ରତିଫଳିତ କରୁଛି ବୋଲି ଅଭିଯୋଗ ଉଠୁଛି। କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଏହି ଗୁରୁତର ଅବହେଳା ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି। ଡ଼ଃ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଯଥୋଚିତ ଗୌରବ ଓ ସମ୍ମାନ ସହିତ ବିଧିବଦ୍ଧ ଉନ୍ମୋଚନ କରାଯିବା ସହିତ ଏକ ସୂଚନା ଫଳକ ସ୍ଥାପନ କରାଯାଉ। ଆଇନର ପରିଧି ଭିତରେ ରହି ନ୍ୟାୟପାଳିକା ଓ ପ୍ରଶାସନ ମହାପୁରୁଷଙ୍କ ଗାରିମାକୁ ସୁରକ୍ଷା ଦେବା ପାଇଁ ତୁରନ୍ତ ପଦକ୍ଷେପ ନେବା ଅନିବାର୍ଯ୍ୟ। ଏହା ନ ହେଲେ, ସମ୍ବିଧାନର ମୂଲ୍ୟବୋଧ ଓ ନ୍ୟାୟର ଆଦର୍ଶକୁ ସମ୍ମାନ ଦେବାରେ ପ୍ରଶାସନର ବିଫଳତା ଆହୁରି ସ୍ପଷ୍ଟ ହେବ। ଏହି ଘଟଣା ସାମାଜିକ ନ୍ୟାୟ ଓ ସମାନତାର ପ୍ରତି ପ୍ରଶାସନର ଉଦାସୀନତାକୁ ଦର୍ଶାଉଛି। ସାଧାରଣ ଜନତା ଓ ସମାଜର ବିଭିନ୍ନ ସ୍ତରରୁ ଏହାର ସମାଧାନ ପାଇଁ ତୀବ୍ର ଦାବି ଉଠୁଛି। ନ୍ୟାୟପାଳିକାର ପବିତ୍ର ପରିସରରେ ସମ୍ବିଧାନ ପ୍ରଣେତାଙ୍କ ପ୍ରତି ଏହି ଅସମ୍ମାନ ଅଗ୍ରାହ୍ୟ ନୁହେଁ। ତୁରନ୍ତ ପଦକ୍ଷେପ ନିଆଯାଇ ଏହି ଅବହେଳାର ସମାଧାନ କରାଯାଉ ବୋଲି ସର୍ବସାଧାରଣରେ ମତ ପ୍ରକାଶ ପାଇଛି।