
କଲମପୁର, (ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ର ଏକ କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର ମୀନଗୁର ଓ ବଡ଼କୁଟ୍ରୁ ପଞ୍ଚାୟତ ଅନ୍ତର୍ଗତ ଖଙ୍ଗାରଗୁଡ଼ା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ସହକାରୀ କୃଷି ଅଧିକାରୀ ଅଜୟ କୁମାର ବେମାଳଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା କୃଷି ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞ ତ୍ରିବିଜୟ ବଡ଼ଜେନା ଓ ଯନ୍ତ୍ରୀ ଜଗମୋହନ ମେହେର ଯୋଗଦେଇ ଚାଷୀମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ଧାନ ଓ ପନିପରିବା ଚାଷ ଜରିଆରେ କିପରି ଅଧିକ ଲାଭ ଅର୍ଜନ କରିହେବ, ସେ ସମ୍ପର୍କରେ ଅବଗତ କରାଇଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ (ଜୁନାଗଡ଼) କମଳ ଲୋଚନ ନାୟକ, ବ୍ଲକ ପ୍ରାଣୀସମ୍ପଦ ଅଧିକାରୀ ଡ. ସୁକାନ୍ତ ଶିଆଳ, ସହକାରୀ ଉଦ୍ୟାନ ଅଧିକାରୀ ରଜନୀକାନ୍ତ ବନ୍ଧିଛୋଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବୃଦ୍ଧି ପାଉଥିବା ଜନସଂଖ୍ୟା ଓ ହ୍ରାସ ପାଉଥିବା ଚାଷଜମିକୁ ଦୃଷ୍ଟିରେ ରଖି ଖାଦ୍ୟ ସମସ୍ୟାର ସମାଧାନ କରିବା, ଅଣଧାନ ଫସଲର ଚାହିଦା ଓ ବଜାର ସୃଷ୍ଟି କରିବା, ସଂରକ୍ଷଣ ବ୍ୟବସ୍ଥା ଗଢ଼ିତୋଳିବା, ନୂତନ ରୋଗ ଓ ପୋକମାନଙ୍କ ନିୟନ୍ତ୍ରଣ କରିବା ଏବଂ କୃଷି, ମତ୍ସ୍ୟ, ପଶୁପାଳନ ଓ ଉଦ୍ୟାନ କୃଷି ସମ୍ବନ୍ଧୀୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ଚାଷୀଙ୍କ ପାଖରେ ପହଞ୍ଚାଇବା। ଏହି କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମସ୍ତରୀୟ କୃଷି ଅଧିକାରୀ, କୃଷକସାଥୀ ଓ ବିଭାଗୀୟ କର୍ମଚାରୀମାନେ ସହଯୋଗ କରିଥିଲେ। ଖଙ୍ଗାରଗୁଡ଼ା ଗ୍ରାମର ଚାଷୀମାନେ ଉପସ୍ଥିତ ରହି ଏହି ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଜାଣିପାରିଥିଲେ।