
ଭବାନୀପାଟଣା:(ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ନିଶା ମୁକ୍ତ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ପାଇଁ ନିଶା ଏକ ପ୍ରମୁଖ ପ୍ରତିବନ୍ଧକ। ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ନିଶା ସେବନର କୁପରିଣାମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ, ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ଅବକାରୀ ବିଭାଗ ତରଫରୁ “ଆମ ସଂକଳ୍ପ: ନିଶା ନୁହେଁ, ଜୀବନ” ସଚେତନତା ରଥର ଶୁଭାରମ୍ଭ କରାଯାଇଛି।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ପତାକା ଦେଖାଇ ଏହି ରଥର ଉଦ୍ଘାଟନ କରିଥିଲେ। ଜିଲ୍ଲାପାଳ ନିଶା ମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ଓ ସହଯୋଗ କରିବାକୁ ଆହ୍ଵାନ ଦେଇଥିଲେ। ଏହି ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକ ଓ ପଞ୍ଚାୟତ ପରିକ୍ରମା କରି ଜନସାଧାରଣଙ୍କ ମଧ୍ୟରେ ନିଶା ନିବାରଣ ସମ୍ପର୍କିତ ସଚେତନତା ସୃଷ୍ଟି କରିବ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ପ୍ରୋବେସନରେ ଥିବା ଆଇଏଏସ ଅଧିକାରୀ ଅନିମେସ ପ୍ରଧାନ, ଜିଲ୍ଲା ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପ ସିଂ ରାଉତ ପ୍ରମୁଖ ସମେତ ଜିଲ୍ଲା ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।