
ଧର୍ମଗଡ: (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ ସହରରେ ଏକ ଚାଞ୍ଚଲ୍ୟକର ଲୁଟ୍ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଜୈନିକ ବ୍ୟବସାୟୀ ମନୋଜ କୁମାର ଅଗ୍ରୱାଲଙ୍କ ଘରୁ ଦୁଇଟି ସୁନା ଚୁଡ଼ି, ମୁଦି ଓ ସୁନା ଚେନ ଲୁଟି ଦୁଇ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ସକାଳେ ମନୋଜ କୁମାର ଅଗ୍ରୱାଲ (କିରାଣା ଷ୍ଟୋର ବ୍ୟବସାୟୀ) ଘରେ ନଥିବା ସୁଯୋଗ ନେଇ ଦୁଇଜଣ ବ୍ୟକ୍ତି ନିଜକୁ ଉଜାଲା କମ୍ପାନୀର କର୍ମଚାରୀ ପରିଚୟ ଦେଇ ତାଙ୍କ ଘରେ ପହଞ୍ଚିଥିଲେ। ଘରେ ମନୋଜଙ୍କ ମାଆ ଓ ଭାଇବଧୂ ଉପସ୍ଥିତ ଥିଲେ। ଦୁର୍ବୃତ୍ତମାନେ ବାସନକୁସନ ଏବଂ ସୁନା-ରୂପା ସାମଗ୍ରୀ ସଫେଇ କରିବା ନାମରେ ଗୃହକର୍ତ୍ତୀଙ୍କୁ ପ୍ରବର୍ତ୍ତାଇଥିଲେ। ତାଙ୍କ କଥାରେ ବିଶ୍ୱାସ କରି ମନୋଜଙ୍କ ମାଆ ଗହଣା ସେମାନଙ୍କୁ ହସ୍ତାନ୍ତର କରିଥିଲେ। ପରେ, ଗରମ ପାଣି ଆଣିବାକୁ କହି ଦୁର୍ବୃତ୍ତମାନେ ଦୁଇ ସୁନା ଚୁଡ଼ି, ମୁଦି ଓ ସୁନା ଚେନ ନେଇ ଫେରାର ହୋଇଯାଇଥିଲେ। ଏହି ଘଟଣା ସିସିଟିଭି ଫୁଟେଜରେ ଦୁର୍ବୃତ୍ତଙ୍କ ଚିତ୍ର କଏଦ ହୋଇଛି, ଯାହା ତଦନ୍ତରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏହି ଘଟଣାକୁ ନେଇ ଧର୍ମଗତ ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲହାରସଙ୍କ ସହିତ ଯୋଗାଯୋଗ ହୋଇଥିଲା, ଘଟଣା ବିଷୟରେ ଆମେ ଅବଗତ ଅଛୁ, ସିସିଟିଭି ଫୁଟେଜ ଆମର ହସ୍ତଗତ ହୋଇଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୋୖଣସି ଲିଖିତ ଅଭିଯୋଗ ଆମର ହସ୍ତଗତ ହୋଇନାହିଁ ବୋଲି ପ୍ରକାଶ କରିଛନ୍ତି । ତେବେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଆତଙ୍କ ଦେଖାଦେଇଛି, ଏବଂ ପୋଲିସ ଲୋକମାନଙ୍କୁ ଅଜଣା ବ୍ୟକ୍ତିଙ୍କୁ ବିଶ୍ୱାସ ନ କରିବା ପାଇଁ ଅନୁରୋଧ କରିଛନ୍ତି । (ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ)