
ଭବାନୀପାଟଣା:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଆସନ୍ତା ୦୯ ଜୁନ ୨୦୨୫ରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ୍ ମୋର୍ଚ୍ଚାର ବ୍ୟାନରରେ ଏକ ବିଶାଳ ବିକ୍ଷୋଭ ଓ ଗଣଧାରଣା ଆୟୋଜିତ ହେବାକୁ ଯାଉଛି। ମାନନୀୟ ୱାମନ୍ ମେଶ୍ରାମଙ୍କ ନେତୃତ୍ୱରେ ଦେଶର ୬୨୫ଟି ଜିଲ୍ଲା ମୁଖ୍ୟାଳୟରେ ଏକକାଳୀନ ଏହି ଆନ୍ଦୋଳନ ହେବ, ଯେଉଁଥିରେ ଧାର୍ମିକ ଅଳ୍ପସଂଖ୍ୟକ ସମୁଦାୟ ଉପରେ ହେଉଥିବା ଅତ୍ୟାଚାର ଓ ବିଷମତାର ବିରୋଧରେ ସ୍ୱର ଉଠିବ। ଭାରତୀୟ ସମ୍ବିଧାନ ସମସ୍ତ ନାଗରିକଙ୍କୁ ଧାର୍ମିକସ୍ୱାଧୀନତାର ଅଧିକାର ପ୍ରଦାନ କରିଥିବା ବେଳେ, କିଛି ବିଷମତାବାଦୀ ଗୋଷ୍ଠୀ ଦ୍ୱାରା ଅଳ୍ପସଂଖ୍ୟକ ସମୁଦାୟ, ବିଶେଷତଃ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ ଉପରେ ବିଭିନ୍ନ ପ୍ରକାରର ଅନ୍ୟାୟ ଓ ଅତ୍ୟାଚାର ଚାଲିଥିବା ଅଭିଯୋଗ ଉଠିଛି।ଏହାକୁ କେବଳ ଧାର୍ମିକ ଅତ୍ୟାଚାର ନୁହେଁ, ବରଂ ସାମ୍ବିଧାନିକ ଅଧିକାରର ହନନ ଏବଂ ଭାରତର ଧର୍ମନିରପେକ୍ଷ ଗଣତାନ୍ତ୍ରିକ ମୂଲ୍ୟବୋଧର ଉପରେ ଆଘାତ ବୋଲି ବିବେଚନା କରାଯାଉଛି। ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ମତରେ “ଧର୍ମ ମଣିଷ ପାଇଁ ହୋଇପାରେ, ମଣିଷ ଧର୍ମ ପାଇଁ ନୁହେଁ; ଲୋକଙ୍କ ପାଇଁ ଧର୍ମ ହୋଇପାରେ, କିନ୍ତୁ ରାଷ୍ଟ୍ର ଧର୍ମ ପାଇଁ ନୁହେଁ।” ଏହି ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ନିଷ୍କ୍ରିୟତାକୁ ପ୍ରଶ୍ନ କରାଯିବ ଏବଂ ଅଳ୍ପସଂଖ୍ୟକଙ୍କ ସାମ୍ବିଧାନିକ ଅଧିକାର ସୁରକ୍ଷା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନର ଦାବି ଉପସ୍ଥାପନ କରାଯିବ। ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ବହୁଜନ ମୁକ୍ତି ପାର୍ଟି, ଭାରତ ମୁକ୍ତି ମୋର୍ଚ୍ଚା, ଓ ରାଷ୍ଟ୍ରୀୟ ମୂଳନିବାସୀ ବହୁଜନ କର୍ମଚାରୀ ସଂଘ ସମେତ ବିଭିନ୍ନ ସହଯୋଗୀ ସଂଗଠନ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏହି ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକର ଅମ୍ଠା, ଲଇତରା, ତହଶୀର, କନ୍ତେଶୀର, ତୁର୍ଲାଖମନ୍, ଲିମଗାଁ ପ୍ରଭୃତି ଗାଁମାନଙ୍କରେ ଏକ ବ୍ୟାପକ ଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି। ଏହି ଜନସମ୍ପର୍କ ଅଭିଯାନରେ ବହୁଜନ ମୁକ୍ତି ପାର୍ଟି ଓଡ଼ିଶା ରାଜ୍ୟ ସଭାପତି ଗଙ୍ଗାଧର ଜାଲ, , ରାଷ୍ଟ୍ରୀୟ ମୂଳନିବାସୀ ବହୁଜନ କର୍ମଚାରୀ ସଂଘ ରାଜ୍ୟ ସଭାପତି ଡମ୍ବରୁଧର ମାଝୀ, ବହୁଜନ କ୍ରାନ୍ତି ମୋର୍ଚ୍ଚା ଜିଲ୍ଲା ସଂଯୋଜକ ଲବ କରୁଆ, ବହୁଜନ ମୁକ୍ତି ପାର୍ଟି ଜିଲ୍ଲା ସଭାପତି ମହେନ୍ଦ୍ର ଧଙ୍ଗଡା ମାଝୀ , ଆଦିବାସୀ ନେତା ସୁରେଶ ମାଝୀ, ବରିଷ୍ଠ ପଦାଧିକାରୀ କମଳାକାନ୍ତ ଖର୍ସେଲ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଅଭିଯାନ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯିବ, ଯେଉଁଥିରେ ଅଳ୍ପସଂଖ୍ୟକ ସମୁଦାୟର ସାମ୍ବିଧାନିକ ଅଧିକାର ସୁରକ୍ଷା ଏବଂ ବିଷମତାବାଦୀ ଗୋଷ୍ଠୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ଦାବି ଉଠାଯିବ। ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ସମସ୍ତ ସମ୍ପ୍ରଦାୟର ଲୋକଙ୍କୁ, ବିଶେଷତଃ ଚର୍ଚ୍ଚର କର୍ମକର୍ତ୍ତାମାନଙ୍କୁ ଏକଜୁଟ ହେବାକୁ ଏବଂ ସମର୍ଥନ ଜଣାଇବାକୁ ଅନୁରୋଧ କରାଯାଇଛି। ଏହି ଜନସମ୍ପର୍କ ଅଭିଯାନ କଳାହାଣ୍ଡି ଜିଲ୍ଲାରେ ସାମାଜିକ ନ୍ୟାୟ, ସମାନତା ଓ ଏକତାର ସନ୍ଦେଶକୁ ଜନସାଧାରଣ ମଧ୍ୟକୁ ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚିତ ହେଉଛି।