
ଭୁବନେଶ୍ୱର:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ତାଙ୍କ ନିର୍ବାଚନୀ ଇସ୍ତାହାରରେ “ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା” ମାଧ୍ୟମରେ ବୟସ୍କ, ବିଧବା, ଦିବ୍ୟାଙ୍ଗ ଏବଂ ନିରାଶ୍ରୟ ବ୍ୟକ୍ତିଙ୍କୁ ମାସିକ ୩,୦୦୦ ଟଙ୍କା ଏବଂ ୮୦% ବା ତଦୁର୍ଦ୍ଧ ଅକ୍ଷମତା ଥିବା ଦିବ୍ୟାଙ୍ଗ ଓ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ୩,୫୦୦ ଟଙ୍କା ପେନସନ ପ୍ରଦାନର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ, ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଏହି ପ୍ରତିଶ୍ରୁତି ପୂରଣରେ ବିଫଳ ହୋଇଥିବା ଅଭିଯୋଗ ଉଠିଛି, ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସରକାର କ୍ଷମତାକୁ ଆସିବା ପରେ କେବଳ ୮୦ ବର୍ଷରୁ ଅଧିକ ବୟସ୍କ ଏବଂ ୮୦% ବା ତଦୁର୍ଦ୍ଧ ଅକ୍ଷମତା ଥିବା ଦିବ୍ୟାଙ୍ଗଙ୍କ ପାଇଁ ମାସିକ ୩,୫୦୦ ଟଙ୍କା ପେନସନ ବୃଦ୍ଧି କରିଛନ୍ତି। ଏହାକୁ ସରକାର ସଫଳତା ଭାବେ ପ୍ରଚାର କରୁଥିବା ବେଳେ, ବୟସ୍କ, ବିଧବା ଏବଂ ନିରାଶ୍ରୟଙ୍କ ପାଇଁ ପ୍ରତିଶ୍ରୁତି ୩,୦୦୦ ଟଙ୍କା ପେନସନ ଯୋଜନା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ଏହାକୁ ନେଇ, ପେନସନ ହିତାଧିକାରୀ ତଥା ଜନସାଧାରଣଙ୍କ ମଧ୍ୟରେ ସମାଲୋଚନା ଜୋର ଧରିଛି। ସାଧାରଣରେ ଅଭିଯୋଗ ଉଠୁଛି ଯେ, ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଭୋଟରଙ୍କୁ ପ୍ରଭାବିତ କଲାଭଲି ବିଭିନ୍ନ ଇସ୍ତାହାର ଦେଉଛନ୍ତି କିନ୍ତୁ ତା’ର ପୂରଣ ଅନେକାଂଶରେ ହେଉନାହିଁ। ନିର୍ବାଚନ ପୂର୍ବରୁ ବିଜେପି ବିଧବା ବୟସ୍କ ଓ ଅସହାୟ ମାନଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛି, ” ସମସ୍ତ ବୟସ୍କଙ୍କୁ ୩,୦୦୦ ଟଙ୍କା ପେନସନ ଦେବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଏବେ କେବଳ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ୩,୫୦୦ ଟଙ୍କା ଦେଉଛନ୍ତି। ଯାହାକୁ ଅନ୍ୟ ହିତାଧିକାରୀଙ୍କ ପାଇଁ ଏହା ଅନ୍ୟାୟ ବୋଲି ବିବେଚନା କରାଯାଉଛି”।
ସରକାର ଦାବି କରୁଛନ୍ତି ଯେ, ୮୦ ବର୍ଷରୁ ଅଧିକ ବୟସ୍କ ଓ ୮୦% ଅକ୍ଷମତା ଥିବା ଦିବ୍ୟାଙ୍ଗଙ୍କ ପାଇଁ ପେନସନ ବୃଦ୍ଧି କରି ସେମାନେ ନିର୍ବାଚନୀ ପ୍ରତିଶ୍ରୁତିର ଏକ ଅଂଶ ପୂରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି: “ଆପଣମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ, ଆମେ ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ସାମାଜିକ ସୁରକ୍ଷା ଭତ୍ତା ୩,୫୦୦ ଟଙ୍କାକୁ ବୃଦ୍ଧି କରିଛୁ।” କିନ୍ତୁ, ବୟସ୍କ, ବିଧବା ଓ ନିରାଶ୍ରୟଙ୍କ ପାଇଁ ୩,୦୦୦ ଟଙ୍କା ପେନସନ ବିଷୟରେ କୌଣସି ଉଲ୍ଲେଖ ନଥିବାରୁ ଅସନ୍ତୋଷ ଆହୁରି ବଢ଼ିଛି। ଏହା ସହିତ, ୮୦% ରୁ ଅଧିକ ଅକ୍ଷମତା ଥିବା ଦିବ୍ୟାଙ୍ଗ ଓ ୮୦ ବର୍ଷରୁ ଅଧିକ ବୟସ୍କ ହିତାଧିକାରୀଙ୍କ ମଧ୍ୟରେ ଅନେକେ ବ୍ୟାଙ୍କରୁ ଟଙ୍କା ଉଠାଣ ସମୟରେ ବୟସଜନିତ ଅକ୍ଷମତା କାରଣରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ କେତେକ ବ୍ୟାଙ୍କ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାକ୍ଷର ସହିତ ଟଙ୍କା ଉଠାଣର ସୁବିଧା ଦେଉଛନ୍ତି। ତଥାପି, ଅନଲାଇନ୍ ଭତ୍ତା ପ୍ରଦାନରେ ନିର୍ଦ୍ଦିଷ୍ଟ ତାରିଖର ଅଭାବ ଏବଂ ଅଫଲାଇନ୍ ହିତାଧିକାରୀଙ୍କୁ ମାସର ନିର୍ଧାରିତ ତାରିଖ ମଧ୍ୟରେ ଭତ୍ତା ମିଳୁଥିବା ବେଳେ ଅନଲାଇନ୍ ହିତାଧିକାରୀଙ୍କୁ ମାସ ଶେଷରେ ଭତ୍ତା ମିଳୁଥିବାରୁ ଅସନ୍ତୋଷ ବଢ଼ୁଛି। ଏହି ତୃଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁଁ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି, ଏବଂ ସରକାରଙ୍କ ପ୍ରତି ଜନବିଶ୍ୱାସ ହ୍ରାସ ପାଉଛି।