
ଭବାନୀପାଟଣା:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଗତ ୨୧ ମଇ ୨୦୨୫ରେ କଳାହାଣ୍ଡି ଜିଲ୍ଲାର କଲମପୁର-ଜୁନାଗଡ ମୁଖ୍ୟ ରାସ୍ତାର ଘର୍ଲା ଛକ ନିକଟରେ ଏକ ଦୁଃଖଦ ବାଇକ ଦୁର୍ଘଟଣାରେ ବାବୁକେନ୍ଦୁଗୁଡା ଗ୍ରାମର କୁରୁକ୍ଷେତ୍ର ବେମାଲ (ପଥଚାରୀ) ଗୁରୁତର ଆହତ ହୋଇଥିଲେ। କଦଳିଚୁଆଁ ଗ୍ରାମର ବ୍ଳକରାୟ ନାଏକଙ୍କ ବାଇକ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ପ୍ରାଥମିକ ଚିକିତ୍ସା ପାଇଁ କୁରୁକ୍ଷେତ୍ରଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ତା’ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଦୁର୍ଭାଗ୍ୟବଶତଃ, ଚିକିତ୍ସାଧୀନ ଅବସ୍ଥାରେ ୮ ଜୁନ ବିଳମ୍ବିତ ରାତିରେ କୁରୁକ୍ଷେତ୍ରଙ୍କର ମୃତ୍ୟୁ ଘଟିଥିଲା। ୯ ଜୁନ ଶବ ବ୍ୟବଚ୍ଛେଦ ପରେ ୧୦ ଜୁନ ସକାଳେ ତାଙ୍କ ମୃତଦେହ ଗାଁରେ ପହଞ୍ଚିଥିଲା। ଏହାପରେ ପରିବାର ଓ ସମ୍ପର୍କୀୟମାନେ କ୍ଷତିପୂରଣ ଦାବି କରି ଶବକୁ ଘର୍ଲା ଛକରେ ରଖି କଲମପୁର-ଜୁନାଗଡ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଫଳରେ, ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିଲା ଏବଂ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଘଟଣାସ୍ଥଳରେ ତହସିଲଦାର ସ୍ମରଣୀକା ତୁଳ, କଲମପୁର ଥାନା ଅଧିକାରୀ ନୀଳାମ୍ବର ଜାନୀ, ଏସ୍.ଆଇ. ଶିବ ଶଙ୍କର ମହାନ୍ତି, ଏ.ଏସ୍.ଆଇ. ଶେଖର ଜେନା ଓ କନେଷ୍ଟବଳ ପ୍ରକାଶ ମହାପାତ୍ର ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ଅପରାହ୍ନ ୨ଟା ସମୟରେ ଆନ୍ଦୋଳନ ପ୍ରତ୍ୟାହୃତ ହେବା ପରେ ଶବ ଉଠାଯାଇଥିଲା। ପରେ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଶବର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା।