
ଭବାନୀପାଟଣା:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଭାରତ ମୁକ୍ତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ୱାମନ୍ ମେଶ୍ରାମଙ୍କ ନେତୃତ୍ବରେ ଦେଶବ୍ୟାପୀ ହେଉଥିବା ବିକ୍ଷୋଭ ଓ ଗଣଧାରଣା କାର୍ଯ୍ୟକ୍ରମ ଅଧିନରେ କଳାହାଣ୍ଡି ଜିଲ୍ଲା ଭାରତ ମୁକ୍ତି ମୋର୍ଚ୍ଚା ଏବଂ ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ୍ ମୋର୍ଚ୍ଚାର ମିଳିତ ଆନୁକୂଲ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ଏହି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦେଶର ବିଭିନ୍ନ ପ୍ରାନ୍ତରେ ଧାର୍ମିକ ଅଳ୍ପସଂଖ୍ୟକ ସମୁଦାୟଙ୍କ ଉପରେ ବିଷମତାବାଦୀ ଗୋଷ୍ଠୀଙ୍କ ଦ୍ୱାରା ହେଉଥିବା ଅତ୍ୟାଚାରକୁ ତୀବ୍ର ବିରୋଧ କରିବା ଏବଂ ସେମାନଙ୍କ ସାମ୍ବିଧାନିକ ଅଧିକାର ସୁରକ୍ଷା ନିମନ୍ତେ ସରକାରଙ୍କୁ ଦାବି ଉପସ୍ଥାପନ କରିବା। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୫ ଅନୁଯାୟୀ, ପ୍ରତ୍ୟେକ ନାଗରିକଙ୍କୁ ନିଜ ଧର୍ମ ପାଳନ ଓ ପ୍ରଚାର କରିବାର ସ୍ୱାଧୀନତା ରହିଛି। କିନ୍ତୁ, ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି ଯେ ବିଷମତାବାଦୀ ଓ ଜାତିବାଦୀ ଗୋଷ୍ଠୀମାନେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ସ୍ଥଳୀ ଉପରେ ଆକ୍ରମଣ କରୁଛନ୍ତି ଏବଂ ସେମାନଙ୍କ ଧାର୍ମିକ ଅନୁଷ୍ଠାନକୁ ବାଧା ସୃଷ୍ଟି କରୁଛନ୍ତି। ଭାରତ ମୁକ୍ତି ମୋର୍ଚ୍ଚା ଏହାକୁ ଗଣତନ୍ତ୍ର ଓ ମାନବାଧିକାର ବିରୋଧୀ କାର୍ଯ୍ୟ ବୋଲି ନିନ୍ଦା କରିଛି। ଭାରତ ମୁକ୍ତି ମୋର୍ଚ୍ଚା ଜିଲ୍ଲା ସଭାପତି ମାଧବ ସୁନାନୀ କହିଛନ୍ତି, “ଏହା କେବଳ ଧାର୍ମିକ ଅଳ୍ପସଂଖ୍ୟକଙ୍କ ବିରୋଧରେ ନୁହେଁ, ବରଂ ଦେଶର ମୂଳନିବାସୀ ଏସସି, ଏସଟି ଏବଂ ଓବିସି ସମୁଦାୟ ବିରୋଧରେ ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର।” ବିକ୍ଷୋଭ ସମୟରେ ନେତାମାନେ ଡ. ବାବା ସାହେବ ଆମ୍ବେଦକରଙ୍କ ବାଣୀକୁ ଉଦ୍ଧୃତ କରି କହିଥିଲେ, “ଯେଉଁ ଦିନ ଶାସକ ଗୋଷ୍ଠୀ ନିଜ ଧର୍ମକୁ ରାଷ୍ଟ୍ରୀୟ ଧର୍ମର ମାନ୍ୟତା ଦେଇ ଜନତାଙ୍କ ଉପରେ ଲଦିଦେବ, ସେହି ଦିନ ଗଣତନ୍ତ୍ର ସମାପ୍ତ ହୋଇଯିବ।” ସେମାନେ ଆହୁରି ମନେ କରାଇ ଦେଇଥିଲେ ଯେ ପରାଧୀନ ଭାରତରେ ହିନ୍ଦୁ, ମୁସଲିମ, ଶିଖ ଓ ଖ୍ରୀଷ୍ଟିଆନ ସମୁଦାୟ ‘ଭାଇ ଭାଇ’ ନାରା ଦେଇ ବିଦେଶୀ ଶାସନ ବିରୋଧରେ ଏକଜୁଟ ହୋଇ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ। କିନ୍ତୁ, ସ୍ୱାଧୀନ ଭାରତରେ ସରକାରୀ ଅବହେଳା ଓ ପରୋକ୍ଷ ପ୍ରୋତ୍ସାହନ ଯୋଗୁଁ ବିଷମତାବାଦୀ ସଂଗଠନମାନେ ଧର୍ମ ଓ ଜାତି ନାମରେ ଘୃଣାʼ ଓ ବିଭେଦକୁ ବୃଦ୍ଧି କରୁଛନ୍ତି। ଏହି ବିକ୍ଷୋଭରେ ଉପସ୍ଥିତ ନେତାମାନେ ଏସସି, ଏସଟି, ଓବିସି ଏବଂ ଧାର୍ମିକ ଅଳ୍ପସଂଖ୍ୟକ ସମୁଦାୟକୁ ଏକତ୍ରିତ ହୋଇ ଏହି ଅନ୍ୟାୟ ବିରୋଧରେ ସଂଗ୍ରାମ କରିବାକୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଆର୍ ଏମ୍ ବି କେ ଏସ ରାଜ୍ୟ ସଭାପତି ଡମ୍ବରୁଧର ମାଝୀ, ବହୁଜନ ମୁକ୍ତି ପାର୍ଟି ରାଜ୍ୟ ସଭାପତି ଗଙ୍ଗାଧର ଜାଲ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଜିଲ୍ଲା ସଭାପତି ସଂଜୟ ଶବର, ଭାରତ ମୁକ୍ତି ମୋର୍ଚ୍ଚା ଜିଲ୍ଲା ସଭାପତି ମାଧବ ସୁନାନୀ, କମଳାକାନ୍ତ ଖର୍ସେଲ, କଲିମ ଖାଁ, କୁଶ ଶବର ତଥା ଜିଲ୍ଲାର ଅନେକ ପଦାଧିକାରୀ ଏବଂ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ଅନେକ ପଦାଧିକାରୀ ଉପସ୍ଥିତ ଥିଲେ। ବିକ୍ଷୋଭକାରୀମାନେ ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୈଠାରୁ ଦୀପଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଦାବି କରିଛନ୍ତି ଯେ ଧାର୍ମିକ ଅଳ୍ପସଂଖ୍ୟକଙ୍କ ସୁରକ୍ଷା ନିମନ୍ତେ କଡ଼ା ଆଇନ ପ୍ରଣୟନ କରାଯାଉ ଏବଂ ଅପରାଧୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହା ସହିତ, ସେମାନେ ସାମାଜିକ ସମତା ଓ ନ୍ୟାୟ ପାଇଁ ଦେଶବ୍ୟାପୀ ଏକ ଜାତୀୟ ଆନ୍ଦୋଳନ ଗଢ଼ିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଏହି ଘଟଣା କଳାହାଣ୍ଡି ଜିଲ୍ଲାରେ ସାମାଜିକ ନ୍ୟାୟ ଓ ଧାର୍ମିକ ସ୍ୱାଧୀନତା ପାଇଁ ଏକ ଶକ୍ତିଶାଳୀ ଆହ୍ୱାନ ସୃଷ୍ଟି କରିଛି।