
କଲମପୁର:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକରେ ବୁଧବାର ଅନୁଷ୍ଠିତ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ଜ୍ୟୋତି ନାଏକ ନିର୍ଦ୍ବନ୍ଦରେ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ପୂର୍ବତନ ଅଧ୍ୟକ୍ଷ ମୋତୀ ବିହାରୀଙ୍କ ବିରୁଦ୍ଧରେ ଗତ ଏପ୍ରିଲ ମାସରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବାରୁ ସେ ପଦ ହରାଇଥିଲେ। ଏହାପରେ ସରକାରଙ୍କ ନିର୍ଦେଶ ଅନୁସାରେ କୋକସରା ବିଡିଓ ଡକ୍ଟର ହିମାଚଳ ମାଝୀଙ୍କ ତତ୍ତ୍ୱାବଧାନରେ ଉପନିର୍ବାଚନ ଆୟୋଜିତ ହୋଇଥିଲା। ବିଜେପି ସମର୍ଥିତ ଏକମାତ୍ର ପ୍ରାର୍ଥୀ ଭାବେ କଲମପୁର ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଜ୍ୟୋତି ନାଏକ ନାମାଙ୍କନ ଦାଖଲ କରିଥିଲେ। ନିର୍ଧାରିତ ସମୟ ମଧ୍ୟରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ ନ କରିବାରୁ ଜ୍ୟୋତି ନାଏକ ନିର୍ଦ୍ବନ୍ଦରେ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ନିର୍ବାଚିତ ହେବା ପରେ ଜ୍ୟୋତିଙ୍କୁ ବିଜେପି କର୍ମୀ ଓ ସମର୍ଥକମାନେ ସମ୍ବର୍ଦ୍ଧନା ଜଣାଇଥିଲେ। ସେ ସମର୍ଥକଙ୍କ ସହ ବ୍ଲକ କାର୍ଯ୍ୟାଳୟରୁ କଲମପୁର ସହରକୁ ଏକ ପଦଯାତ୍ରାରେ ଯାଇ ପ୍ରଥମେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ସେ ନିର୍ମାଲ୍ୟ କ୍ଷେତ୍ରରେ ଭଗବାନ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଜ୍ୟୋତି ନାଏକ କହିଛନ୍ତି, “ମୋର ଲକ୍ଷ୍ୟ ହେଉଛି କଲମପୁର ବ୍ଲକର ଉନ୍ନତି ଓ ବିକାଶ। ମୁଁ ଏହାକୁ ଏକ ଆଦର୍ଶ ବ୍ଲକ ରୂପେ ଗଢିତୋଳିବା ପାଇଁ ପ୍ରୟାସ କରିବି।”