
ଧର୍ମଗଡ଼:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଛଞ୍ଚାଣ ବାହାଲୀ ପଲସପାଣି ଗ୍ରାମରେ ବେଆଇନ ମଦ ବିକ୍ରିକୁ ବିରୋଧ କରି ଗ୍ରାମବାସୀ ମୁଖ୍ୟ ରାସ୍ତାରେ ଥିବା ଏକ ମଦ କୋଠୀକୁ ଭାଙ୍ଗି ଦେଇଛନ୍ତି। ଦୀର୍ଘ ଦିନ ଧରି ଗ୍ରାମରେ ଅବୈଧ ଭାବେ ମଦ ବିକ୍ରି ଚାଲିଥିବା ଅଭିଯୋଗ ରହିଛି। ବାରମ୍ବାର ବାରଣ ସତ୍ତ୍ୱେ ଭାଟି ମ୍ୟାନେଜର ଲାଭ ପାଇଁ କେତେକ ବ୍ୟକ୍ତିଙ୍କୁ ମଦ ବିକ୍ରି ପାଇଁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି। ଏହି ଅବୈଧ ମଦ ବିକ୍ରି ଯୋଗୁଁ ଗ୍ରାମରେ ପରିବେଶ ନଷ୍ଟ ହେବା ସହ ବିଶୃଙ୍ଖଳା ଓ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇଛି। ଏହାକୁ ବନ୍ଦ କରିବା ପାଇଁ ଗ୍ରାମବାସୀ ବୁଧବାର ସ୍ଥାନୀୟ ସରପଞ୍ଚ ପ୍ରୀତି ବେମାଲଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଗୁରୁବାର ଗ୍ରାମରେ ଏକ ସର୍ବସାଧାରଣ ବୈଠକ ଆୟୋଜିତ ହୋଇଥିଲା, ଯେଉଁଠାରେ ଗ୍ରାମବାସୀ ଏକଜୁଟ ହୋଇ ବେଆଇନ ମଦ କୋଠୀକୁ ଭାଙ୍ଗି ଦେଇଥିଲେ। ଗ୍ରାମବାସୀ ହରି ପୁଝାରୀ, ବଳରାମ ପୁଝାରୀ, ଭୋକର ଧନ ଜୁଏଡ଼, ଉତ୍ସବ ହଂସ, ସନ୍ତୋଷ ଖମାରୀ, ବୋରଡା ଜୁଏଡ଼, ମଦନ ହଂସ, ଚିତ୍ତରଞ୍ଜନ ନାୟକ, ଭକତରାମ କଟା, ଦୁର୍ଯ୍ୟୋଧନ ଖମାରୀ, ନିର୍ମଳ ଦୁରିଆ, ଟଙ୍କ ଖମାରୀ ପ୍ରମୁଖ ଚେତାବନୀ ଦେଇଛନ୍ତି ଯେ, ଆଗାମୀ ଦିନରେ ମଦ ବିକ୍ରି ବନ୍ଦ ନ ହେଲେ ଆନ୍ଦୋଳନ କରାଯିବ। ଏ ସମ୍ପର୍କରେ ସରପଞ୍ଚ ପ୍ରୀତି ବେମାଲ କହିଛନ୍ତି ଯେ, ଅଭିଯୋଗ ସମ୍ପର୍କରେ ଅବକାରୀ ବିଭାଗ ଓ ପୋଲିସକୁ ଅବଗତ କରାଯିବ। ଏହା ସହ ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ଏକ ରେଜୁଲେସନ ପାସ କରି ଜିଲ୍ଲାପାଳଙ୍କୁ ପଠାଯିବ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ