
ଧର୍ମଗଡ଼:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଶନିବାର ସକାଳ ପ୍ରାୟ ୬:୩୦ ସମୟରେ ଧର୍ମଗଡ଼ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ.ଏ.ସି.)ର ମିଳିତ ଉଦ୍ୟମରେ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ଆନ୍ତର୍ଜାତୀୟ ଯୋଗ ଦିବସ-୨୦୨୫ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଧର୍ମଗଡ଼ ସହରର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମଚାରୀ, ରାଜନେତା ,ଆଧ୍ୟାତ୍ମିକ ଓ ଯୋଗାସନ ପ୍ରେମୀ, ପ୍ରାୟ ୨୦୦ରୁ ଅଧିକ ଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଶ୍ରୀ ସଦାଶିବ ନାୟକ, ତହସିଲଦାର ଶ୍ରୀ କୀର୍ତ୍ତି ଚନ୍ଦ୍ର ପ୍ରଧାନ, ଡେପୁଟି କଲେକ୍ଟର ଶ୍ରୀ ଚୋଡ଼ଗଙ୍ଗ ପ୍ରଧାନ, ନଗରପାଳ ଶ୍ରୀ ଅଶୋକ କୁମାର ମହାନ୍ତି, ବ୍ଲକ ଶିକ୍ଷା ଅଧିକାରୀ (ବି.ଇ.ଓ.) ଶ୍ରୀମତୀ ପଙ୍କଜୀନି ମାଝୀ, ସି.ଡି.ପି.ଓ. ଶ୍ରୀମତୀ ଧରିତ୍ରୀ ତ୍ରିପାଠୀ ଏବଂ ଏନ.ଏ.ସି. ନିର୍ବାହୀ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ଖିଲ୍ଲୋ ଉପସ୍ଥିତ ଥିଲେ। ଅତିଥିମାନେ ପ୍ରାଚୀନ ଭାରତରେ ଆମ ମହାପୁରୁଷ ମାନଙ୍କ ଦ୍ବାରା ଯୋଗ ସାଧନା ଓ ଏହାର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଉପକାରିତା ବିଷୟରେ ଆଲୋଚନା କରିଥିଲେ। ସୁସ୍ଥ ଓଡ଼ିଶା ଓ ସୁସ୍ଥ ଭାରତ ଗଠନ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦୈନନ୍ଦିନ ଜୀବନରେ ଯୋଗକୁ ଅଙ୍ଗୀକାର କରିବାକୁ ସେମାନେ ପରାମର୍ଶ ଦେଇଥିଲେ। ଯୋଗ ଗୁରୁ ଶ୍ରୀ ଶିଶିର ମେହେର ଓ ଶ୍ରୀ ରଞ୍ଜିତ ପଣ୍ଡା ଉପସ୍ଥିତ ଶିକ୍ଷାର୍ଥୀଙ୍କୁ ବିଭିନ୍ନ ଯୋଗାସନ ଶିକ୍ଷା ଦେଇଥିଲେ। କାର୍ଯ୍ୟକ୍ରମର ସମାପନରେ ନଗରପାଳ ଶ୍ରୀ ଅଶୋକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଧର୍ମଗଡ଼ ବ୍ଲକ ଓ ଏନ.ଏ.ସି.ର କର୍ମଚାରୀମାନେ ସଫଳତାର ସହ ପରିଚାଳନା କରିଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ