
କଲମପୁର:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଓଡ଼ିଶାରେ ବିଜେପି ସରକାରର ପ୍ରଥମ ବର୍ଷ ପୂରଣ ଉପଲକ୍ଷେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଓ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ଗାଁ ଗାଁରେ ପହଞ୍ଚାଇବା ଲକ୍ଷ୍ୟରେ କଲମପୁର ବ୍ଲକ ପ୍ରଶାସନ ପକ୍ଷରୁ ବିକାଶ ବାହନ ରଥର ଭବ୍ୟ ସ୍ଵାଗତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ୧୨ ଜୁନ୍ରୁ କୋଟାଗାଁ ଗ୍ରାମ ପଞ୍ଚାୟତରେ ଶୁଭାରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଶନିବାର ପଣ୍ଡିଗାଁ ଗ୍ରାମ ପଞ୍ଚାୟତରେ ସମାପନ ହୋଇଯାଇଛି। ପଣ୍ଡିଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ କବିତା ଜୈନଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲମପୁର ବ୍ଲକ ଅଧ୍ୟକ୍ଷ ଚିନ୍ତାମଣି ବେହେରା ମୁଖ୍ୟ ଅତିଥି ଏବଂ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସାଂସଦ ପ୍ରତିନିଧି ଅରୁଣ ଜଗରିଆ, ବିଜେପି କାର୍ଯ୍ୟକର୍ତ୍ତା ସୁଧୀର ବାଗ, କମଳ ବାଗ, କୃଷ୍ଣ ବାଗ, ସତ୍ୟବାନ ରାଉତ, ଆଇସିଡିଏସ ସୁପରଭାଇଜର ବାସନ୍ତୀ ନାୟକ, ବିପିଏମ ରୀୟା ଆନସ ଏକ୍କା ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ମଞ୍ଚାସୀନ ହୋଇ ରାଜ୍ୟ ସରକାରଙ୍କ ବିକାଶ ଯୋଜନା ଓ ଉପଲବ୍ଧି ସମ୍ପର୍କରେ ପଞ୍ଚାୟତବାସୀଙ୍କୁ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତର କଳାକାରମାନଙ୍କ ଦ୍ୱାରା ପରିବେଷିତ ସମ୍ବଲପୁରୀ ନୃତ୍ୟ ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ମନ ମୋହିଥିଲା। ଏହି ଅବସରରେ ପଞ୍ଚାୟତର ମହିଳା ଗୋଷ୍ଠୀ, ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଏବଂ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ପଞ୍ଚାୟତ ପିଇଓ ଜିତେନ୍ଦ୍ର କୁମାର ମଞ୍ଚ ପରିଚାଳନା କରିଥିଲେ।