
ଧର୍ମଗଡ(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକରେ ସୋମବାର ଲେତେର ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ସମାଧାନ ଶିବିର ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୧୬୮ଟି ଅଭିଯୋଗ ମଧ୍ୟରୁ ୩୩ଟି ସମସ୍ୟାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ମାଧ୍ୟମରେ ତୁରନ୍ତ ସମାଧାନ କରାଯାଇଛି। କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବିଡ଼ିଓ ବିଶ୍ୱନାଥ ରାଉତ, ସହକାରୀ ଯନ୍ତ୍ରୀ ଚିତ୍ତ ରଂଜନ ଜେନା, ପିଇଓ ରାଜମୋହନ ଶବର, ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ ବିହାରୀ, ଗ୍ରାମୀଣ ଗୃହ ଯୋଜନାରୁ ଦିନେଶ ପାନକା, ଯୋଗାଣ ବିଭାଗରୁ ରୁପେଶ ବେମାଲ, ଲେତେର ସରପଞ୍ଚ ଶ୍ରୀମତୀ ଦମୟନ୍ତି ଭୋଇ, ସମନ୍ୱିତ ଶିଶୁ ବିକାଶ ଯୋଜନାରୁ ମହିଳା ପରିଦର୍ଶିକା ଶାନ୍ତି ମଙ୍ଗରାଜ, ପାନୀୟ ଜଳ ବିଭାଗରୁ ଅତିରିକ୍ତ ଯନ୍ତ୍ରୀ ସୁବାସ ପଣ୍ଡା, ଏପିଓ କ୍ଷେତ୍ର ମୋହନ ମାଝୀ ପ୍ରମୁଖ ବ୍ଲକ ସ୍ତରୀୟ ଅଧିକାରୀଙ୍କ ସମେତ ଲେତେର ପଞ୍ଚାୟତର ଅନେକ ଜନସାଧାରଣ ଉପସ୍ଥିତ ଥିଲେ। ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ କହିଛନ୍ତି ଯେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକର ସୁବିଧା ଗାଁ ଗାଁରେ ପହଞ୍ଚାଇବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ। ସେ ଆହୁରି କହିଛନ୍ତି ଯେ, ଜନସାଧାରଣଙ୍କ ସମସ୍ୟା ସମାଧାନ ପାଇଁ ତାଙ୍କ ଦ୍ୱାର ସର୍ବଦା ଖୋଲା ରହିଛି।ସୂଚନାଯୋଗ୍ୟ, ଶ୍ରୀ ମହାନନ୍ଦ ବ୍ଲକ ଅଧ୍ୟକ୍ଷ ହେବା ପରେ ପ୍ରତି ସୋମବାର ବ୍ଲକ ପରିସରରେ ଅନୁଷ୍ଠିତ ଜନ ଶୁଣାଣିକୁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରକୁ ନେଇ ଅଧିକାରୀଙ୍କୁ ସାଙ୍ଗରେ ନେଇ ଗ୍ରାମ ପରିକ୍ରମା କରି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି। ଏହା ସହିତ ପ୍ରତିଦିନ ନିଜ ଘରେ ଜନସାଧାରଣଙ୍କ ସମସ୍ୟା ଶୁଣି ତୁରନ୍ତ ସମାଧାନ କରୁଛନ୍ତି, ଯାହା ତାଙ୍କୁ ଜିଲ୍ଲା ତଥା ରାଜ୍ୟରେ ଜଣେ ଚର୍ଚ୍ଚିତ ବ୍ଲକ ଅଧ୍ୟକ୍ଷ ଭାବେ ପରିଚିତ କରାଇଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ