
କଲମପୁର (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): କଲମପୁର ସମିତିର ନୂତନ ଅଧ୍ୟକ୍ଷା ଭାବେ ଜ୍ୟୋତି ନାଏକ ସୋମବାର ଅନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବହୁ ସମର୍ଥକଙ୍କ ସହ ସେ ସମିତି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବିଡିଓ ବିଜୟ କୁମାର ମାଣ୍ଡଙ୍ଗୀ ଓ ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା ତାଙ୍କୁ ଉଷ୍ମ ସ୍ୱାଗତ ଜଣାଇଥିଲେ। ରୀତିନୀତି ଅନୁଯାୟୀ, ଶୁଭ ମୁହୂର୍ତ୍ତରେ ଜ୍ୟୋତି ଅଧ୍ୟକ୍ଷା ଆସନରେ ବସି ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଅବସରରେ ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା, ବିଧାୟକ ପ୍ରତିନିଧି ସୁଶାନ୍ତ ରାଉତ, ବରିଷ୍ଠ ବିଜେପି ନେତା ବିଜୟ କୁମାର ପଣ୍ଡା, ବିଜେପି କଲମପୁର ମଣ୍ଡଳ ସଭାପତି ହିତେଶ କୁମାର ପାତ୍ର, ବିଜମରା ମଣ୍ଡଳ ସଭାନେତ୍ରୀ ସରିତା ସରାପ, ସୁଧୀର ବାଗ ସମେତ ଅନେକ ସମର୍ଥକ ଉପସ୍ଥିତ ଥିଲେ। ଦାୟିତ୍ୱ ଗ୍ରହଣ ପରେ ଜ୍ୟୋତି କର୍ମେଲ ଡଙ୍ଗରିଗୁଡା ଶିବ ମନ୍ଦିରରେ ପ୍ରସାଦ ସେବନ କରିଥିଲେ। ସମର୍ଥକମାନେ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଉଲ୍ଲେଖଯୋଗ୍ୟ, ଗତ ୧୮ ଜୁନ୍ରେ ଅନୁଷ୍ଠିତ ସମିତି ଅଧ୍ୟକ୍ଷା ଉପନିର୍ବାଚନରେ ଜ୍ୟୋତି ନାଏକ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିଲେ। ଏହି ଘଟଣା କଲମପୁର ଅଞ୍ଚଳରେ ନୂତନ ନେତୃତ୍ୱକୁ ନେଇ ଉତ୍ସାହ ଓ ଆଗ୍ରହ ସୃଷ୍ଟି କରିଛି।