
ଧର୍ମଗଡ:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଡ୍ରାଇଭର ମହାସଂଘ ପକ୍ଷରୁ ମଙ୍ଗଳବାର ଡ୍ରାଇଭରମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘ ଅଭିଯୋଗ କରିଛି ଯେ, ବିଗତ ଦିନରେ ୮ଟି ମୁଖ୍ୟ ଦାବି ନେଇ ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ, ମାତ୍ର ଗୋଟିଏ ଦାବି ପୂରଣ ହୋଇଛି। ଅବଶିଷ୍ଟ ୭ଟି ଦାବି ପ୍ରତି ସରକାର କୌଣସି ପଦକ୍ଷେପ ନେଉନଥିବାରୁ ଡ୍ରାଇଭରମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାପୂର୍ବେ ସଂଘ ତା. ୨୯/୦୩/୨୦୨୫ରୁ ୬ ଦିନ ଧରି ଲୋୟର ପି.ଏମ୍.ଜି.ରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ, କିନ୍ତୁ କୌଣସି ଫଳ ମିଳିନଥିଲା। ଫଳରେ, ସଂଘ ଦୃଢ଼ ନିଷ୍ପତ୍ତି ନେଇ ଘୋଷଣା କରିଛି ଯେ, ଆଗାମୀ ଏକ ମାସ ମଧ୍ୟରେ ସରକାର ତାଙ୍କ ଦାବିପତ୍ରର ସମାଧାନ ନକଲେ, ଆସନ୍ତା ତା. ୦୮/୦୭/୨୦୨୫ରୁ କୌଣସି ଡ୍ରାଇଭର ଗାଡ଼ି ଚଲାଇବେ ନାହିଁ, ଷ୍ଟିଅରିଙ୍ଗ ଛାଡ଼ିବେ। ଆବଶ୍ୟକ ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ଅସହଯୋଗ କରାଯିବ ବୋଲି ସଂଘ ଚେତାବନୀ ଦେଇଛି। ଏହି ଆନ୍ଦୋଳନ ଯୋଗୁଁ ପରିବହନ ବ୍ୟବସ୍ଥା ପ୍ରଭାବିତ ଵା ସମ୍ପୂର୍ଣ୍ଣ ବନ୍ଦ ହେବାର ଆଶଙ୍କା ରହିଛି। ଯଦି ଏହି ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ କିମ୍ବା ଜନସାଧାରଣଙ୍କୁ ଅସୁବିଧା ହୁଏ, ତେବେ ତାହାର ଦାୟିତ୍ୱ ସରକାରଙ୍କ ଉପରେ ରହିବ ବୋଲି ସଂଘ ସ୍ପଷ୍ଟ କରିଛି। ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଜିଲ୍ଲା ଡ୍ରାଇଭର ମହାସଂଘର ସଭାପତି କାର୍ତ୍ତିକ ପୁଞ୍ଜି, ବ୍ଲକ ସମ୍ପାଦକ ଡମ୍ବରୁଧର ନାଏକ, ବ୍ଲକ ଆଡମିନ ଦେବେନ୍ଦ୍ର ମଶ୍ରା, ରାଜେଶ ବଗର୍ତ୍ତି, ଆନନ୍ଦ ନାଏକ, ଶ୍ରୀମୁଖ ଗୋପାଳ, ଜଗଦୀଶ ବନ୍ଦିଛୋଡ, କରୁଣାକର ମାଝୀ, ସୁନିଲ ହଂସ ପ୍ରମୁଖ ଉପସ୍ଥିତ ଥିଲେ। ସଂଘ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ, ବିଡିଓ, ତହସିଲଦାର, ଥାନାଧିକାରୀ ଏବଂ ଦମକଳ ବାହିନୀ ଅଧିକାରୀଙ୍କୁ ଦାବିପତ୍ର ହସ୍ତାନ୍ତର କରିଛି। ସମିତି ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଘଟଣାକୁ ସରକାରଙ୍କ ପାଖରେ ଉପସ୍ଥାପନ କରିବି ବୋଲି ପ୍ରତିଶୃତି ଦେଇଥିଲେ। ଏହି ଘଟଣା ପରିବହନ ବ୍ୟବସ୍ଥା ଏବଂ ସରକାରୀ ନୀତି ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ। ସରକାର ଏହାର ସମାଧାନ ପାଇଁ କ’ଣ ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ