
ଧର୍ମଗଡ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଖୁଣ୍ଟିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଥିବା ମିର୍ଜାପୁର ଛକ ବଜାର ରାସ୍ତା ବର୍ଷା ଯୋଗୁଁ ପାଣି ଜମି କାଦୁଅରେ ପରିଣତ ହୋଇଛି। ଏହା ଯୋଗୁଁ ସ୍ଥାନୀୟ ଲୋକେ, ଛାତ୍ରଛାତ୍ରୀ ଓ ବ୍ୟବସାୟୀମାନେ ଯାତାୟାତରେ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଖୁଣ୍ଟିଆରୁ ବିଜୁ ଏକ୍ସପ୍ରେସୱେକୁ ସଂଯୋଗ କରେ, ଯାହା ଉତ୍ତରରେ ଧର୍ମଗଡ, ଦକ୍ଷିଣରେ ଆମପାଣି ଓ ନବରଙ୍ଗପୁର ଜିଲ୍ଲା ଏବଂ ପଶ୍ଚିମରେ ଝାକରପଡ଼ା ଓ ଛତିଶଗଡ଼କୁ ଯୋଡ଼ିଥାଏ। ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକ ଯାତାୟାତ କରନ୍ତି। ଟ୍ରାକ୍ଟର, ପିକ୍ଅପ୍, ମିନି ଟ୍ରକ ଏବଂ ଅନ୍ୟାନ୍ୟ ଗାଡ଼ି ମାଲ ପରିବହନ ପାଇଁ ଏହି ରାସ୍ତା ବ୍ୟବହାର କରୁଛନ୍ତି। ପାଖରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଯୋଗୁଁ ଅନେକ ଛାତ୍ରଛାତ୍ରୀ ମଧ୍ୟ ଏହି ରାସ୍ତା ଦେଇ ଯାତାୟାତ କରନ୍ତି। ସପ୍ତାହକୁ ଥରେ ମିର୍ଜାପୁର ଛକରେ ବସୁଥିବା ବଜାର ଯୋଗୁଁ ଆଖପାଖ ଅଞ୍ଚଳର ଲୋକେ ଓ ବ୍ୟବସାୟୀମାନେ ଏହି ରାସ୍ତା ବ୍ୟବହାର କରନ୍ତି। କିନ୍ତୁ ରାସ୍ତାର ଦୁର୍ଦଶା ଯୋଗୁଁ ସେମାନେ ଅସୁବିଧାରେ ପଡ଼ୁଛନ୍ତି। ଜନପ୍ରତିନିଧିମାନେ ଏହି ରାସ୍ତା ଦେଇ ନିୟମିତ ଯାତାୟାତ କରୁଥିଲେ ମଧ୍ୟ ଏହାର ମରାମତି ପାଇଁ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଲୋକେ ଏବଂ ବ୍ୟବସାୟୀମାନେ ପଞ୍ଚାୟତ ଓ କୋକସରା ବ୍ଲକ ପ୍ରଶାସନଙ୍କୁ ଶୀଘ୍ର ରାସ୍ତା ମରାମତି କରିବାକୁ ଦାବି କରୁଛନ୍ତି। ଏହି ସମସ୍ୟାର ସମାଧାନ ନ ହେଲେ ଜନଅସନ୍ତୋଷ ବଢ଼ିବାର ଆଶଙ୍କା ରହିଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ