
ଖଣ୍ଡପଡ଼ା(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ୧୯୭୫ ମସିହା ଜୁନ ୨୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି (ଇମରଜେନ୍ସି) ଘୋଷଣା କରିଥିଲେ, ଯାହା ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ଅମଙ୍ଗଳ ଅଧ୍ୟାୟ ଭାବେ ଚିହ୍ନିତ। ଏହି ଦିବସକୁ ‘ସମ୍ବିଧାନ ହତ୍ୟା ଦିବସ’ ରୂପେ ସ୍ମରଣ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ସ୍ଥିତ ନୀଳମାଧବ ମହାବିଦ୍ୟାଳୟରେ ବୁଧବାର ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ନନ୍ଦିତା ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରଭାତ କୁମାର ବେହେରା, ହୃଷୀକେଶ ମିଶ୍ର, ସୁମନ୍ତ କୁମାର ଜେନା, ଡ. ନିରୋଦ କୁମାର ମନ୍ତ୍ରୀ ଏବଂ ଅଧ୍ୟାପିକା ସରଳା ବେହେରା ପ୍ରମୁଖ ଯୋଗଦେଇ ଜରୁରୀକାଳୀନ ପରିସ୍ଥିତି ସମୟରେ ନାଗରିକମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେମାନେ ଛାତ୍ରଛାତ୍ରୀମାନଙ୍କୁ ଏହି ଅବଧିରେ ନାଗରିକ ଅଧିକାର, ପ୍ରେସ୍ ସ୍ବାଧୀନତା ଓ ଅଭିବ୍ୟକ୍ତିର ସ୍ବାଧୀନତାର ଦମନ, ସାମୁହିକ ବନ୍ଧ୍ୟାକରଣ, ଲକ୍ଷାଧିକ ରାଜନୈତିକ କର୍ମୀ ଓ ସଂଗ୍ରାମୀଙ୍କୁ କାରାବନ୍ଦୀ କରାଯିବା ଆଦି ଅମାନୁଷିକ ଘଟଣା ସମ୍ପର୍କରେ ତଥ୍ୟଭିତ୍ତିକ ବିଶ୍ଳେଷଣ ପ୍ରଦାନ କରିଥିଲେ। ଅଧ୍ୟକ୍ଷା ଡ. ବାରିକ ନିଜ ବକ୍ତବ୍ୟରେ ଗଣତନ୍ତ୍ରର ମୂଲ୍ୟବୋଧ ଓ ସମ୍ବିଧାନର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ଜରୁରୀକାଳୀନ ପରିସ୍ଥିତି ସମୟରେ ସରକାରଙ୍କୁ ବିରୋଧ କରୁଥିବା ବ୍ୟକ୍ତିମାନଙ୍କୁ ୧୯୭୧ର ଅଭ୍ୟନ୍ତରୀଣ ସୁରକ୍ଷା ରକ୍ଷଣାବେକ୍ଷଣ ଆଇନ (ମିସା) ଅଧୀନରେ ବେଆଇନୀ ଭାବେ କାରାଗାରରେ ରଖାଯାଇଥିଲା, ଯାହା ଏକଛତ୍ରବାଦୀ ଶାସନର ପରିଚୟ ଦେଇଥିଲା। କାର୍ଯ୍ୟକ୍ରମକୁ ଡ. ନିରୋଦ କୁମାର ମନ୍ତ୍ରୀଙ୍କ ପରିଚାଳନାରେ ସମ୍ପନ୍ନ ହୋଇଥିବା ବେଳେ ଅଧ୍ୟାପିକା ସରଳା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।
ବିଜୟ କୁମାର ସେଠୀ, ନୟାଗଡ଼