
ଖଣ୍ଡପଡ଼ା(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଦିର୍ଘ ୧୮ ବର୍ଷ ପରେ ଖଣ୍ଡପଡ଼ା ନିକଟସ୍ଥ ବାଇଗୁଣିଆଁ ଗ୍ରାମର ହିନ୍ଦୀ ଶିକ୍ଷକ ପ୍ରମୋଦ କୁମାର ନନ୍ଦଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ନ୍ୟାୟ ମିଳିଛି। ସଂପୃକ୍ତ ହିନ୍ଦୀ ଶିକ୍ଷକ ଶ୍ରୀନନ୍ଦଙ୍କୁ ଶିକ୍ଷା ବିଭାଗ କର୍ତ୍ତୃପକ୍ଷ ପୁର୍ନବାର ନୟାଗଡ ଜିଲ୍ଲାର ନୂଆଗାଁ ବ୍ଳକ ଅଧିନ ଜାକେଡା ଗ୍ରାମ ଉଚ୍ଚ ବିଦ୍ୟାଳୟରେ ପୁନଃ ଅବସ୍ଥାପିତ କରିଥିବା ଜଣାଯାଇଛି।ନୟାଗଡ ଜିଲ୍ଲା ଶିକ୍ଷାଧିକାରୀଙ୍କ ଉପସ୍ଥିତିରେ ହିନ୍ଦୀ ଶିକ୍ଷକ ଶନିବାର ଉକ୍ତ ବିଦ୍ୟାଳୟରେ ପହଞ୍ଚି କାର୍ଯ୍ଯରେ ଯୋଗଦେଇଥିବା ଜଣାପଡିଛି।ପ୍ରକାଶଥାଉକି ହିନ୍ଦୀ ଶିକ୍ଷକ ଶ୍ରୀନନ୍ଦ ଗତ ୧୯୯୬ ମସିହାରେ ଉକ୍ତ ଜାକେଡା ଗ୍ରାମ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଜୀବନ ଆରମ୍ଭ କରିବା ସହ ଦିର୍ଘ ୧୧ବର୍ଷ ଧରି ବିନା ପାରିଶ୍ରମିକରେ ଶିକ୍ଷକତା କରି ଆସୁଥିଲେ। ମାତ୍ର ସନ ୧୯୯୯-୨୦୦୦ ରେ ବିଦ୍ୟାଳୟଟି ସରକାରୀ ସ୍ବୀକୃତିପ୍ରାପ୍ତ ମାନ୍ୟତା ପାଇବା ପରେ ସେହି ସମୟରେ ବିଦ୍ୟାଳୟ ପରିଚାଳନା କମିଟିର ସଂପାଦକ ଓ ପ୍ରଧାନଶିକ୍ଷୟତ୍ରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର କେତେକ ଖଳ ପ୍ରକୃତିର ବ୍ୟକ୍ତି ହିନ୍ଦୀ ଶିକ୍ଷକଙ୍କ ବିରୁଦ୍ଧରେ କୁତ୍ସାରଟନା କରିବା ସହ ମିଥ୍ୟା ଅଭିଯୋଗ ଆଣିବାରୁ ବିଦ୍ୟାଳୟ ପରିଚାଳନା କମିଟିର ନିଷ୍ପତ୍ତିକ୍ରମେ ସଂପୃକ୍ତ ହିନ୍ଦୀ ଶିକ୍ଷକଙ୍କୁ ଉକ୍ତ ବିଦ୍ୟାଳୟରୁ ବାହାର କରି ଦିଆଯାଇଥିଲା।ଏହାର ପ୍ରତିବାଦରେ ହିନ୍ଦୀ ଶିକ୍ଷକ ଶ୍ରୀନନ୍ଦ ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରି ନିରାଶ ହେବା ପରେ ପରିଶେଷରେ ନ୍ୟାୟ ପାଇବା ନିମନ୍ତେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ।ମାନ୍ୟବର ଉଚ୍ଚ ନ୍ୟାୟାଳୟ ମାମଲାରେ ହସ୍ତକ୍ଷେପ କରି ହିନ୍ଦୀ ଶିକ୍ଷକଙ୍କୁ ପୁର୍ନବାର ଜାକେଡା ଉଚ୍ଚ ବିଦ୍ୟାଳୟରେ ଅବସ୍ଥାପିତ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଏବେ ହିନ୍ଦୀ ଶିକ୍ଷକ ଶ୍ରୀନନ୍ଦ ବିଦ୍ୟାଳୟରେ ଯୋଗଦେଇ ଖୁସି ବ୍ୟକ୍ତ କରିଥିବା ବେଳେ ଜାକେଡା ଗ୍ରାମବାସୀଙ୍କ ମଧ୍ଯରେ ଏ ନେଇ ଆନନ୍ଦ ପ୍ରକାଶ ପାଇଛି।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ