
ଧର୍ମଗଡ଼ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ସ୍ଥିତ ଜ୍ଞାନ ବିକାଶ ପବ୍ଲିକ ସ୍କୁଲ ପରିସରରେ ବନ ମହୋତ୍ସବ ୨୦୨୫ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ବିଦ୍ୟାଳୟର ନିର୍ଦେଶକ ଶ୍ରୀ ଜ୍ଞାନ ରଞ୍ଜନ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ସାମ୍ବାଦିକ ଶ୍ରୀ ଅଂଶୁମାନ ପାତ୍ର ଯୋଗ ଦେଇଥିଲେ। ଶ୍ରୀ ପାତ୍ର ତାଙ୍କ ଅଭିଭାଷଣରେ ଜଙ୍ଗଲ ନଷ୍ଟ ହେବା ଯୋଗୁଁ ପରିବେଶ ଉପରେ ପଡୁଥିବା ନକାରାତ୍ମକ ପ୍ରଭାବ ବିଷୟରେ ଆଲୋକପାତ କରି କହିଥିଲେ ଯେ, ସମସ୍ତେ ମିଶି ବୃକ୍ଷରୋପଣ ପାଇଁ ଆଗ୍ରହୀ ହେବା ଆବଶ୍ୟକ। ସେହିପରି, ଶ୍ରୀ ଜ୍ଞାନ ରଞ୍ଜନ ନାୟକ ବୃକ୍ଷରୋପଣ ସହ ସେଗୁଡ଼ିକର ଯତ୍ନ ନେବାର ଗୁରୁତ୍ୱ ଉପରେ ଜୋର ଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୁଦ୍ଧ କରିଥିଲେ। ସେ କହିଥିଲେ, “କେବଳ ଗଛ ଲଗାଇଲେ ହେବ ନାହିଁ, ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ମଧ୍ୟ ଅତ୍ୟନ୍ତ ଜରୁରୀ।” ଏହି ଅବସରରେ ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଲେଖାଏଁ ଗଛ ପ୍ରଦାନ କରାଯାଇ ସେମାନଙ୍କୁ ବୃକ୍ଷରୋପଣରେ ସାମିଲ କରାଯାଇଥିଲା, ଯାହା ସେମାନଙ୍କ ମଧ୍ୟରେ ପରିବେଶ ପ୍ରତି ଦାୟିତ୍ୱବୋଧ ଜାଗ୍ରତ କରିଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମମତା ନାୟକ, ଶିକ୍ଷୟତ୍ରୀ ଶ୍ରୀମତୀ ଗଙ୍ଗା ଠାକୁର, ଶ୍ରୀମତୀ ସ୍ମୃତି ରେଖା ପାତ୍ର, ଶ୍ରୀମତୀ ଶୁଭଶ୍ରୀ ନାୟକ, ଶ୍ରୀମତୀ ଜାଗୃତି ରାଉତ, ଶ୍ରୀ ପଞ୍ଚୁ ତାଣ୍ଡି, ଶ୍ରୀମତୀ ସଲୋନୀ ଠାକୁର ଏବଂ ଶ୍ରୀମତୀ ତିଲୋତମା ନାୟକ ଉପସ୍ଥିତ ଥିଲେ। ଏହା ସହ ବହୁ ଅଭିଭାବକ ମଧ୍ୟ ଯୋଗ ଦେଇ ଏହି ଉଦ୍ୟମକୁ ସମର୍ଥନ କରିଥିଲେ। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ସହ ଏକ ସବୁଜ ଓ ସୁସ୍ଥ ଭବିଷ୍ୟତ ଗଠନ ପାଇଁ ପ୍ରେରଣା ଯୋଗାଇଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ