
ଧର୍ମଗଡ଼(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): ମାନବିକତା ଓ ସମାଜସେବାର ଏକ ଅନନ୍ୟ ଉଦାହରଣ ହେଉଛନ୍ତି ଧର୍ମଗଡ଼ ଏନ୍ଏସି ଅନ୍ତର୍ଗତ ୱାର୍ଡ ନମ୍ବର ୧, ଭୀମଖୋଜପଡାର ଯୁବକ ପ୍ରତାପ ବାରିକ। ୨୫ ବର୍ଷ ବୟସରୁ ସ୍ୱେଚ୍ଛାକୃତ ରକ୍ତଦାନ ଆରମ୍ଭ କରି ଏପର୍ଯ୍ୟନ୍ତ ୪୨ ଥର ରକ୍ତଦାନ କରି ସେ ଅନେକ ଜୀବନ ରକ୍ଷା କରିଛନ୍ତି। ତାଙ୍କର ଏହି ନିସ୍ୱାର୍ଥ ସେବା ସମାଜରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି।ଗତ କାଲି ଶନିବାର ଛତିଶଗଡ଼ର ଦେଭୋଗ ଅଞ୍ଚଳର ଗର୍ଭବତୀ ମାଁ ପାଇଁ ରକ୍ତ ଆବଶ୍ୟକତା ଥିବା ଖବର ପାଇ ପ୍ରତାପ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଥିଲେ। ସେଠାରେ ପ୍ରସୂତି ବିଭାଗର ବେଡ଼ ନମ୍ବର ୧୨ରେ ଚିକିତ୍ସିତ ହେଉଥିବା ଗର୍ଭବତୀ ମା’ ଗୋମତୀ ୟାଡୁଙ୍କୁ ସେ ନିଜର ୪୨ତମ ରକ୍ତଦାନ କରି ଜୀବନ ରକ୍ଷା କରିଛନ୍ତି। ଏହି ଘଟଣା ତାଙ୍କର ସମାଜ ପ୍ରତି ଥିବା ଦାୟିତ୍ୱବୋଧ ଓ ମାନବିକତାକୁ ପୁଣି ଥରେ ପ୍ରମାଣ କରିଛି। ପ୍ରତାପ ବାରିକ କହନ୍ତି, “ଗର୍ଭବତୀ ଓ ପ୍ରସୂତି ମାଆଙ୍କ ରକ୍ତହୀନତା କେବଳ ବ୍ୟକ୍ତିଗତ ସମସ୍ୟା ନୁହେଁ, ଏହା ମା’ ଓ ଶିଶୁ ଉଭୟଙ୍କ ପାଇଁ ବିପଦଜନକ। ଏହା ଆଗକୁ ବଢ଼ି ସମାଜରେ ଅସୁସ୍ଥ ଓ ବିକୃତ ପରିବେଶ ସୃଷ୍ଟି କରିପାରେ। ତେଣୁ ଯେତେବେଳେ ମୁଁ ଗର୍ଭବତୀ କିମ୍ବା ପ୍ରସୂତି ମାଁଙ୍କ ରକ୍ତହୀନତା ବିଷୟରେ ଖବର ପାଏ, ସ୍ୱେଚ୍ଛାକୃତ ରକ୍ତଦାନ କରି ମୋ’ ଜୀବନରେ ଅଜଣା ଆନନ୍ଦ ଅନୁଭବ କରେ।” ପ୍ରତାପଙ୍କ ଏହି ନିସ୍ୱାର୍ଥ କାର୍ଯ୍ୟ କେବଳ ଜୀବନ ରକ୍ଷା କରୁନାହିଁ, ବରଂ ସମାଜରେ ଅନ୍ୟମାନଙ୍କୁ ମଧ୍ୟ ରକ୍ତଦାନ ପାଇଁ ପ୍ରେରଣା ଯୋଗାଇଛି। ତାଙ୍କ ଏହି ମହାନ କାର୍ଯ୍ୟ ସମସ୍ତଙ୍କ ପାଇଁ ଏକ ପ୍ରେରଣାଦାୟୀ ଉଦାହରଣ ହୋଇ ରହିବ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ