
କଲମପୁର (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): କଲମପୁର ବ୍ଲକର ମଣ୍ଡଳ ମଣ୍ଡିରେ ଚାଷୀମାନେ ଗମ୍ଭୀର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ରାଜ୍ୟ ବିଜେପି ସରକାର, ଯିଏ ନିଜକୁ “ଲୋକଙ୍କ ପାଇଁ, ଲୋକଙ୍କ ସରକାର” ଦାବି କରି କୃଷକଙ୍କ ଆୟ ଦ୍ୱିଗୁଣିତ କରିବାର ପ୍ରତିଶ୍ରୁତି ଦେଇଛନ୍ତି, ମଣ୍ଡି ବ୍ୟବସ୍ଥାରେ ଦେଖାଦେଇଥିବା ଅବ୍ୟବସ୍ଥା ଯୋଗୁଁ ପ୍ରଶ୍ନବାଚୀ ମଧ୍ୟ ହେଉଛନ୍ତି। ଖଣ୍ଡି ଡଙ୍ଗରୀଗୁଡା ଗ୍ରାମର ଚାଷୀ ଭାଗିରଥି ବାଗଙ୍କ ଘଟଣା ଏହି ଅବ୍ୟବସ୍ଥାର ଏକ ଜ୍ୱଳନ୍ତ ଉଦାହରଣ। ଗତ ମଇ ୨୮ରେ ସେ ମଣ୍ଡଳ ମଣ୍ଡିରେ ୧୩୦ କୁଇଣ୍ଟାଲ ଧାନ ବିକ୍ରି ପାଇଁ ପହଞ୍ଚାଇଥିଲେ, କିନ୍ତୁ ବିଭାଗୀୟ ଅଧିକାରୀମାନେ ମାତ୍ର ୧୧୮ କୁଇଣ୍ଟାଲ ଉଠାଇ ୧୨ କୁଇଣ୍ଟାଲ ଧାନକୁ ଅଣଦେଖା କରିଥିବା ଶ୍ରୀ ବାଗ ଅଭିଯୋଗ ଉଠାଇଛନ୍ତି । ଏହାସହ, ଜୁନ ୨ରେ ପହଞ୍ଚାଇଥିବା ଅନ୍ୟ ଏକ ଟୋକନର ଧାନ ମଣ୍ଡି ବନ୍ଦ ହେବା ଯୋଗୁଁ ଏକ ମାସ ପରେ ମଧ୍ୟ ଉଠି ନଥିଲା। ଫଳରେ, ଶ୍ରୀ ବାଗଙ୍କୁ ନିଜ କଷ୍ଟ ଉପାର୍ଜିତ ଧାନ ସୋମବାର ୭ ଜୁଲାଇ ରେ ଘରକୁ ଫେରାଇ ଆଣିବାକୁ ପଡ଼ିଛି। ଏହି ଘଟଣା ମଣ୍ଡି ବ୍ୟବସ୍ଥାରେ ଗମ୍ଭୀର ତ୍ରୁଟି ଏବଂ କୃଷକଙ୍କ ପ୍ରତି ଅବହେଳାକୁ ସୂଚାଇଛି। ସରକାରଙ୍କ ଉଚ୍ଚାଭିଳାଷୀ ପ୍ରତିଶ୍ରୁତି ଓ ବାସ୍ତବ କାର୍ଯ୍ୟକାରୀତା ମଧ୍ୟରେ ଅବହେଳାର ବ୍ୟବଧାନ କୃଷକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ମଣ୍ଡିରେ ଏଫ୍ଏକ୍ୟୁ ମାନର ଧାନ ଆଣିବାର ବ୍ୟବସ୍ଥା ମିଲର୍ସଙ୍କ ପାଇଁ ଅନୁକୂଳ ହେଉଥିବା ଅଭିଯୋଗ ଉଠୁଛି। ବର୍ତ୍ତମାନ ଚାଷୀମାନେ ଧାନ ଅମଳ ପାଇଁ ଆଧୁନିକ ମିସିନ ବ୍ୟବହାର କରୁଛନ୍ତି, ଯେଉଁଥିରେ ସରକାର ଉକ୍ତ କମ୍ପାନୀକୁ ଉନ୍ନତ ମାନର ପ୍ରମାଣପତ୍ର ଦେଇଛନ୍ତି। ତଥାପି, ଏହି ମିସିନରେ ଅମଳ ହେଉଥିବା ଧାନ ଏଫ୍ଏକ୍ୟୁ ମାନ ପୂରଣ ନ କରୁଥିବା ଅଭିଯୋଗରେ ପ୍ରତ୍ୟାଖ୍ୟାତ ହେଉଛି। ଏହା ପଛରେ ସରକାରୀ ଅନୁମୋଦିତ ମିସିନ ମାର୍କେଟରେ ଛାଡ଼ିବାର ନୀତି ପ୍ରଶ୍ନବାଚୀ ହେଉଛି। ଚାଷୀଙ୍କୁ ଏଥିପାଇଁ ଦୋଷୀ କରାଯିବା ଅନୁଚିତ; ଏହା ସରକାର ଓ ମିସିନ କମ୍ପାନୀଙ୍କ ତ୍ରୁଟିକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି, ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାରଙ୍କୁ ଜନସାଧାରଣଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ହେବା ଆବଶ୍ୟକ। ମଣ୍ଡଳ ମଣ୍ଡିରେ ଘଟୁଥିବା ଏଭଳି ଘଟଣା କୃଷକଙ୍କ ଆସ୍ଥାକୁ ଦୁର୍ବଳ କରୁଛି। ସରକାରଙ୍କୁ ତୁରନ୍ତ ମଣ୍ଡି ବ୍ୟବସ୍ଥାରେ ସଂସ୍କାର ଆଣି, କୃଷକଙ୍କ ସମସ୍ୟାର ସମାଧାନ କରି ତାଙ୍କ ଆସ୍ଥା ଅର୍ଜନ କରିବା ଆବଶ୍ୟକ।