ଧର୍ମଗଡ଼ ( ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଯୋର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି। ମାତ୍ର ଏକ ବର୍ଷର ଶିଶୁକନ୍ୟା ଆଲିଶା ପାରିଙ୍କ ଜୀବନ ମାତ୍ର ସାମାନ୍ୟ ଅବହେଳା ଯୋଗୁଁ ଅକାଳରେ ଚାଲିଯାଇଛି। ସୂଚନା ଅନୁଯାୟୀ, ଆଲିଶାଙ୍କ ପିତା ରବୀନ୍ଦ୍ର ପାରିଙ୍କ ଘରେ ତାଙ୍କ ମା’ ରୋଷେଇ କରୁଥିବା ସମୟରେ ଛୋଟ୍ଟ ଆଲିଶା ନିତିଦିନିଆ ଭଳି ମା’ଙ୍କ ନିକଟରେ ଖେଳୁଥିଲା। ମା’ ଭାତ ଗାଲୁଥିବା ବେଳେ ଆଲିଶା ତାଙ୍କ ପଛରେ ଗୁରୁଣ୍ଡି ହେଉଥିଲା। ଏହି ସମୟରେ ଅସାବଧାନତା ବଶତଃ ଆଲିଶାର ହାତ ଗରମ ପେଜ ସହ ଲାଗିଯିବା ଫଳରେ ସେ ଛଟପଟ ହେବାକୁ ଲାଗିଲା। ତୁରନ୍ତ ତାଙ୍କୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା, କିନ୍ତୁ ଗୁରୁତର ଅବସ୍ଥା ଯୋଗୁଁ ତାଙ୍କୁ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଗଲା। ଦୁର୍ଭାଗ୍ୟବଶତଃ, ଡାକ୍ତରମାନେ ଆଲିଶାଙ୍କୁ ମୃତ ଘୋଷଣା କଲେ। ଏହି ଅଭାବନୀୟ ଘଟଣା ପରିବାର ଓ ଗ୍ରାମବାସୀଙ୍କ ମନରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି। ଏକ ନିରୀହ ଶିଶୁକନ୍ୟାର ଏପରି ଅକାଳ ମୃତ୍ୟୁ ଆମ ସମାଜକୁ ଶିଶୁମାନଙ୍କ ସୁରକ୍ଷା ପାଇଁ ଅଧିକ ସଚେତନ ହେବାର ଆବଶ୍ୟକତା ସୂଚାଇଛି। ଏଭଳି ଦୁଃଖଦ ଘଟଣାର ପୁନରାବୃତ୍ତି ରୋକିବା ପାଇଁ ପିତାମାତାଙ୍କୁ ଅଧିକ ସତର୍କ ଓ ସଚେତନ ହେବାକୁ ଅନୁରୋଧ କରାଯାଉଛି।(ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ)