
ଧର୍ମଗଡ଼ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କାଲାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଣ୍ଡାମେର ଗ୍ରାମର ପାଳସା ପଡ଼ାରେ ଦୁଃଖଦ ଘଟଣାରେ ଯୁବକ ଦ୍ରୋପଦ ନାୟକ (ବାପା ତୁଲାରାମ ନାୟକ)ଙ୍କର ମୃତ୍ୟୁ ହୋଇଛି। ଗୁଆରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ସରକାରଙ୍କ ତରଫରୁ ପରିବାରକୁ ୩୦,୦୦୦ ଟଙ୍କାର ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଛି। ମାତ୍ର, ଶବ ଗାଁକୁ ଆଣିବା ପାଇଁ ୮୦,୦୦୦ ଟଙ୍କାର ଆବଶ୍ୟକତା ରହିଥିଲା। ଦ୍ରୋପଦଙ୍କ ପରିବାର ଏକ ଗରିବ ଓ ନିରୀହ ପରିବାର ହୋଇଥିବାରୁ ଏହି ଖର୍ଚ୍ଚ ବହନ କରିବାରେ ଅସମର୍ଥ ଥିଲେ । ଏହି ସଙ୍କଟପୂର୍ଣ ସମୟରେ ପଣ୍ଡରାମାଳି ଯୁବ ବାହିନୀ ଆଗେଇ ଆସି ମାନବୀୟତାର ଏକ ଉଜ୍ଜ୍ୱଳ ଉଦାହରଣ ସ୍ଥାପନ କରିଛି। ଯୁବ ବାହିନୀର ସଭାପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ବଣିଆଙ୍କ ନେତୃତ୍ୱରେ ପଣ୍ଡରାମାଳି ସମାଜର ସମସ୍ତଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରାଯାଇଥିଲା। ସମାଜର କୁଲପତି ପ୍ରକାଶ ଚନ୍ଦ୍ର ନାୟକ, ସଭାପତି ଈଶ୍ୱର ପୂଝାରୀ ଏବଂ ଆଇନ ପରାମର୍ଶଦାତା ତଥା ପୂର୍ବତନ ଯୁବ ବାହିନୀ ସଭାପତି ଦୁର୍ଗା ପ୍ରସାଦ ନାୟକଙ୍କ ନିର୍ଦ୍ଦେଶକ୍ରମେ ସମାଜର ଅନେକ ବ୍ୟକ୍ତି ଏକତ୍ରିତ ହୋଇ କିଛି କିଛି ଅର୍ଥ ରାଶି ଦାନ କରିଥିଲେ। ଏହି ସହାୟତା ନେଇ ଭବାନୀ ଶଙ୍କର ବଣିଆ, ଯୁବ ବାହିନୀ ସମ୍ପାଦକ ଲୋକେଶ ନାୟକ, ଧର୍ମଗଡ଼ ଏନ୍ ଏ ସି ଯୁବ ବାହିନୀ ସଭାପତି ସୌମ୍ୟ ରଞ୍ଜନ ନାୟକ ଏବଂ ତାଙ୍କ ଟିମ୍ ଗଣ୍ଡାମେର ଗାଁରେ ପହଞ୍ଚି ଦ୍ରୋପଦଙ୍କ ପରିବାରକୁ ସାନ୍ତ୍ୱନା ଦେଇଥିଲେ। ସେମାନେ ପରିବାରକୁ ୩୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ସମସ୍ତଙ୍କ ସହଯୋଗରେ ଶବକୁ ଗାଁକୁ ଆଣିବାରେ ସହାୟତା କରିଥିଲେ। ପଣ୍ଡରାମାଳି ଯୁବ ବାହିନୀ ଓ ସମାଜର ଏହି ମହତ୍ ଉଦ୍ୟମ ପ୍ରଶଂସନୀୟ। ଯେଉଁମାନେ ଏହି ଦୁଃଖଦ ମୁହୂର୍ତ୍ତରେ ସାହାଯ୍ୟର ହାତ ବଢ଼ାଇଛନ୍ତି, ସେମାନଙ୍କୁ ପଣ୍ଡରାମାଳି ସମାଜ ଓ ଯୁବ ବାହିନୀ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି। ଏହି ସହଯୋଗ ଓ ଐକ୍ୟ ସମାଜରେ ମାନବୀୟତାର ଏକ ଉଜ୍ଜ୍ୱଳ ଚିତ୍ର ଉପସ୍ଥାପନ କରିଛି।