
ଧର୍ମଗଡ଼ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): ଧର୍ମଗଡ଼,ଏନଏସି ରେ ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଶ୍ରୀ ବିଶମ୍ବର ମିଶ୍ର ଯୋଗ ଦେଇଛନ୍ତି। ଏହି ଅବସରରେ ଧର୍ମଗଡ଼ ଚେମ୍ବର ଅଫ କମର୍ସର ସଭାପତି ଶ୍ରୀ ବିଦ୍ୟାଧର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶ୍ରୀ ମିଶ୍ରଙ୍କୁ ଭେଟି ସ୍ୱାଗତ ଜଣାଇବା ସହ ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ପ୍ରତିନିଧି ଦଳରେ ଉପସଭାପତି ଶ୍ରୀ ନରେଶ କୁମାର ଅଗ୍ରୱାଲ, ଶ୍ରୀ ଯଶୋବନ୍ତ ମେହେର, ସମ୍ପାଦକ ଶ୍ରୀ ଅତୁଲ୍ୟ ମେହେର, ଶ୍ରୀ ଶ୍ରବଣ କୁମାର ଅଗ୍ରୱାଲ, କୋଷାଧ୍ୟକ୍ଷ ଶ୍ରୀ ସରୋଜ କୁମାର ସାହୁ, ଶ୍ରୀ ବିକାଶ ମେହେର ଓ ଶ୍ରୀ ମୁନ୍ନା ନାଏକ ଉପସ୍ଥିତ ଥିଲେ। ଆଲୋଚନାରେ ସହରର ବିଭିନ୍ନ ସମସ୍ୟାଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଥିଲା: ରାସ୍ତାକଡ଼ରେ ଥିବା ଉଠା ଦୋକାନୀଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ବ୍ୟବସ୍ଥିତ ଢଙ୍ଗରେ ସ୍ଥାନାନ୍ତର କରିବା , ରାସ୍ତାରେ ମୁକ୍ତ ଭାବେ ବୁଲୁଥିବା ଗୋରୁ-ଗାଈଙ୍କ ଯୋଗୁ ଦୁର୍ଘଟଣା ଘଟୁଥିବାରୁ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ବିଭିନ୍ନ ୱାର୍ଡରୁ ଅଳିଆ ଓ ଆବର୍ଜନା ସଫେଇକୁ ତ୍ୱରାନ୍ୱିତ କରିବା,ମୁଖ୍ୟ ରାସ୍ତାରେ ବସୁଥିବା ପରିବା ଦୋକାନୀଙ୍କ ପାଇଁ ବିକଳ୍ପ ସ୍ଥାନ ବ୍ୟବସ୍ଥା,ଗଳିକନ୍ଦି ଓ ରାସ୍ତାରେ ଡ୍ରେନ ସଫେଇ ଏବଂ ନୂତନ ଡ୍ରେନ ନିର୍ମାଣ ସହ ୱାର୍ଡଗୁଡ଼ିକରେ ଆଲୋକୀକରଣ ବ୍ୟବସ୍ଥା ଦୃତଗତିରେ କାର୍ଯ୍ୟକାରୀ କରିବା, ବାହାର ରାଜ୍ୟରୁ ଆସୁଥିବା ଅସ୍ଥାୟୀ ବ୍ୟବସାୟୀଙ୍କୁ ମାସ ମାସ ଧରି ବ୍ୟବସାୟ ପାଇଁ ଅନୁମତି ନ ଦେବା, କାରଣ ଏହା ସ୍ଥାନୀୟ ବ୍ୟବସାୟୀଙ୍କୁ ଆର୍ଥିକ କ୍ଷତି ପହଞ୍ଚାଉଛି।ଏହି ସମସ୍ୟାଗୁଡ଼ିକ ସମାଧାନ ପାଇଁ ଚେମ୍ବର ଅଫ କମର୍ସ ପକ୍ଷରୁ ଏକ ଦାବୀପତ୍ର ଶ୍ରୀ ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା। ଶ୍ରୀ ମିଶ୍ର ଧର୍ମଗଡ଼ ସହରର ସୌନ୍ଦର୍ଯ୍ୟକରଣ ଓ ଜନହିତକର ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବ୍ୟବସାୟୀଙ୍କ ସହଯୋଗ କାମନା କରିଛନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ