
କଲମପୁର (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): କଲମପୁର ଥାନା ଅନ୍ତର୍ଗତ ପଣ୍ଡିଗାଁରେ ଏକ ହୃଦୟବିଦାରକ ଓ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ସୋମବାର ଘଟିଥିବା ଏହି ଘଟଣା ସାମାଜିକ ଗଣମାଧ୍ୟମରେ ଏକ ମନ୍ତବ୍ୟକୁ କେନ୍ଦ୍ର କରି ଆରମ୍ଭ ହୋଇଥିଲା। ସୂଚନା ଅନୁଯାୟୀ, ପଣ୍ଡିଗାଁର କିଛି ଝିଅ ସାମାଜିକ ଗଣମାଧ୍ୟମରେ ଫୋଟୋ ଓ ଭିଡିଓ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ତେନ୍ତୁଳିଖୁଣ୍ଟି ଗାଁର ଯୁବକ ନୃସିଂହ ନାଏକ ଆପତ୍ତିଜନକ ମନ୍ତବ୍ୟ କରିଥିଲେ, ଯାହା ନେଇ ଉଭୟ ପକ୍ଷ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ କିଛି ଯୁବତୀ ଓ ଯୁବକ ନୃସିଂହଙ୍କୁ ଚିହ୍ନଟ କରିଥିଲେ। ନୃସିଂହ ଔଷଧ ଆଣିବାକୁ ଯାଉଥିବା ବେଳେ ତାଙ୍କୁ ଅଟକାଇ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିର୍ମମ ମାଡ଼ମାରି ଭିଡିଓ ରେକର୍ଡ କରାଯାଇଥିଲା। ତାଙ୍କ ହାତକୁ ସ୍କାର୍ଫ ଦ୍ୱାରା ବାନ୍ଧି ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଯାଇଥିଲା। ଖବର ପାଇ ନୃସିଂହଙ୍କ ପରିବାର ତାଙ୍କୁ ଉଦ୍ଧାର କରି ରାତିରେ କଲମପୁର ଥାନାରେ ଏଫଆଇଆର ଦାଖଲ କରିଥିଲେ। ଏଫଆଇଆର ଓ ଭିଡିଓ ଆଧାରରେ ଧର୍ମଗଡ଼ ଏସଡିପିଓ ମୁକ୍ତି କୁମାର କୁଲୁଙ୍କ ନେତୃତ୍ବରେ ମଙ୍ଗଳବାର ଅପରାହ୍ନରେ ୪ ଯୁବତୀ ଓ ୨ ଯୁବକଙ୍କୁ ଗିରଫ କରାଯାଇ କେସ ନମ୍ବର ୭୩/୨୫ରେ କୋର୍ଟ ଚାଲାଣ କରାଯାଇଛି। ମାଡ଼ ଖାଇଥିବା ନୃସିଂହ ନାଏକ ବର୍ତ୍ତମାନ ଭବାନୀପାଟଣା ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ପରିଶ୍ରା ନଳୀରେ ଗଭୀର ଆଘାତ ହେତୁ ପରିଶ୍ରା ବନ୍ଦ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ, ୪ ଯୁବତୀଙ୍କୁ ଜାମିନ ମିଳିଥିବା ବେଳେ ୨ ଯୁବକଙ୍କ ଜାମିନ ନାମଞ୍ଜୁର ହୋଇଥିବାରୁ ସେମାନଙ୍କୁ ହାଜତକୁ ପଠାଯାଇଛି। ନୃସିଂହଙ୍କ ପରିବାର ଏହି ଘଟଣାରେ ସମାନ ଅପରାଧ ପାଇଁ ୪ ଜଣଙ୍କୁ ଜାମିନ ଓ ୨ ଜଣଙ୍କୁ ହାଜତକୁ ପଠାଇବା ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି। ବୁଧବାର ତେନ୍ତୁଳିଖୁଣ୍ଟି ଗାଁ ନିକଟ କଲମପୁର-ମୁଖିଗୁଡା ରାସ୍ତାରେ ପରିବାର ଓ ଗ୍ରାମବାସୀ ପ୍ରତିବାଦରେ ବସିଥିବା ସୂଚନା ମିଳିଛି। ଏହି ଘଟଣା ସାମାଜିକ ଗଣମାଧ୍ୟମର ଦୁର୍ବ୍ୟବହାର ଓ ଆଇନକୁ ହାତକୁ ନେବାର ଏକ ଦୁଃଖଦ ଉଦାହରଣ ଭାବେ ସାମ୍ନାକୁ ଆସିଛି।