
ଧର୍ମଗଡ଼ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ସରକାର ଗମନାଗମନ ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ, ଦେଶ ସ୍ୱାଧୀନତାର ୭୮ବର୍ଷ ହେଉଥିଲେ ବି ଅନେକ ଗ୍ରାମାଞ୍ଚଳରେ ରାସ୍ତାଘାଟର ଅବସ୍ଥା ଦୟନୀୟ ରହିଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଖଇରପଦର ପଞ୍ଚାୟତରୁ ସରଧାପୁର ସ୍କୁଲ ପର୍ଯ୍ୟନ୍ତ ରାସ୍ତାର ଶୋଚନୀୟ ଅବସ୍ଥା ଏହାର ଜ୍ୱଳନ୍ତ ଉଦାହରଣ। ବର୍ଷା ଋତୁରେ ଏହି ରାସ୍ତା କାଦୁଅ ଓ ଖାଲଖମାଙ୍କରେ ପରିଣତ ହେଉଥିବାରୁ ଛାତ୍ରଛାତ୍ରୀ, ଚାଷୀ ଓ ସାଧାରଣ ଲୋକେ ଚରମ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରଧାପୁର ଗ୍ରାମବାସୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଚାଉଳ ଆଣିବା ପାଇଁ ଯିବା ସମୟରେ ମଧ୍ୟ ନାହିଁନଥିବା ଦୁଃଖ ଭୋଗୁଛନ୍ତି। ରାସ୍ତା ମଝିରେ ଥିବା ଖଇରପଦର ମଣ୍ଡିରେ ଧାନ ବିକ୍ରି କରିବାକୁ ଯାଉଥିବା ଚାଷୀମାନେ ମଧ୍ୟ ଏହି ଅସୁବିଧାର ଶିକାର ହେଉଛନ୍ତି। ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ପ୍ରାୟତଃ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଗ୍ରାମବାସୀ ଏ ନେଇ ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ, କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି। ବ୍ଲକ ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ଖଇରପଦର-ସରଧାପୁର ରାସ୍ତାର ଦୁର୍ଦଶା: ମରାମତି ଦାବିରେ ଅଞ୍ଚଳବାସୀ”
Comments are closed.