
ଧର୍ମଗଡ଼ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ସରକାରଙ୍କ ଅନେକ ଯୋଜନା ଓ ପ୍ରତିଶ୍ରୁତି ସତ୍ତ୍ୱେ, ଗରିବ ଲୋକଙ୍କ ଜୀବନରେ ସୁଧାର ଆସୁନାହିଁ। ଆଜି ବି ଅନେକ ପରିବାର ମୌଳିକ ସୁବିଧାରୁ ବଞ୍ଚିତ ହୋଇ ନାନା ଅସୁବିଧାରେ ଦିନ କାଟୁଛନ୍ତି। ଏମିତି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ଧର୍ମଗଡ଼ ବ୍ଲକର ଧଅଁରପୁର ଗ୍ରାମ ପଞ୍ଚାୟତର ଭାଲୁଚୁଆଁ ଗ୍ରାମରେ। ଏହି ଗ୍ରାମରେ ବାସ କରନ୍ତି କୃପାସିନ୍ଧୁ ବାଗଙ୍କ ପରିବାର। ତାଙ୍କ ପରିବାରରେ ମାଆ, ସ୍ତ୍ରୀ ଜନେକ ବାଗ ଏବଂ ତିନି ପୁଅ-ଝିଅ ଅଛନ୍ତି। କୃପାସିନ୍ଧୁ କୁଲି ମଜୁରୀ କରି କୌଣସି ପ୍ରକାରେ ପରିବାରର ଗୁଜରାଣ ମେଣ୍ଟାନ୍ତି। କିନ୍ତୁ ଦୁଇ ଦିନ ତଳେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ସେମାନେ ରହୁଥିବା ଝାଟି ମାଟିର କୁଡ଼ିଆ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି। ଏହି ଦୁର୍ଘଟଣାରେ ଅଳ୍ପକେ ପରିବାରଟି ମୃତ୍ୟୁମୁଖରୁ ବଞ୍ଚି ଯାଇଛି। ଘର ଭାଙ୍ଗିଯିବା ପରେ କୃପାସିନ୍ଧୁ ଓ ତାଙ୍କ ପରିବାର ଏବେ ରହିବା ପାଇଁ ସ୍ଥାନ ନ ପାଇ ନାନା ଅସୁବିଧାରେ ଦିନ କାଟୁଛନ୍ତି। ସେ ପୂର୍ବରୁ ଗ୍ରାମ ପଞ୍ଚାୟତ ଓ ବ୍ଲକ ପ୍ରଶାସନକୁ ଏକ ଆବାସ ଗୃହ ପାଇଁ ଅନୁରୋଧ କରିଥିଲେ, କିନ୍ତୁ ତାଙ୍କ ଆକୁଳ ନିବେଦନ କେହି ଶୁଣି ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏବେ ସେ ପୁଣି ଥରେ ପ୍ରଶାସନଙ୍କୁ ବିନମ୍ର ଭାବେ ଅନୁରୋଧ କରିଛନ୍ତି ଯେ, ତାଙ୍କ ପରିବାରକୁ ତୁରନ୍ତ ଏକ ଆବାସ ଗୃହ ଯୋଗାଇ ଦିଆଯାଉ, ଯାହା ଦ୍ୱାରା ସେମାନେ ନିରାପଦରେ ଜୀବନଯାପନ କରିପାରିବେ। ଏହି ହୃଦୟସ୍ପର୍ଶୀ ଘଟଣା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ଭାଙ୍ଗିଲା ଘର, ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଲା ପରିବାର, ଆବାସ ଗୃହ ପାଇଁ ଆକୁଳ ନିବେଦନ।”
Comments are closed.