
ଭବାନୀପାଟଣା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ଆବାସିକ ବିଦ୍ୟାଳୟଗୁଡ଼ିକରେ ଚାଲିଥିବା ଅବ୍ୟବସ୍ଥା ଓ ସରକାରଙ୍କ ଉଦାସୀନତା ବିରୋଧରେ ବହୁଜନ କ୍ରାନ୍ତି ମୋର୍ଚ୍ଚା, ଭାରତ ମୁକ୍ତି ମୋର୍ଚ୍ଚା ଓ ଅନ୍ୟାନ୍ୟ ସାମାଜିକ ସଂଗଠନ ମିଳିତ ଭାବେ ଆସନ୍ତା ୨୩ ସେପ୍ଟେମ୍ବର ୨୦୨୫ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଘୋଷଣା କରିଛନ୍ତି। ଏକ ଦାବିପତ୍ରରେ ସଂଗଠନଗୁଡ଼ିକ ଜଣାଇଛନ୍ତି ଯେ, ଜୁନାଗଡ଼, ଗୋଲାମୁଣ୍ଡା ଓ ଧର୍ମଗଡ଼ ବ୍ଲକର କୁରୁଗୁଡା, ଧାମନପୁର ଓ ଜୟନ୍ତପୁର ଏସଏସଡି ବିଦ୍ୟାଳୟଗୁଡ଼ିକରେ ଅସମ୍ପୂର୍ଣ୍ଣ ହଷ୍ଟେଲ ନିର୍ମାଣ, ବେଞ୍ଚ-ଡେସ୍କ, ଲାଇବ୍ରେରୀ ଓ ଷ୍ଟାଫ କ୍ୱାର୍ଟରର ଅଭାବ, ଖାଦ୍ୟ ଯୋଗାଣ ଅସୁବିଧା ଏବଂ +୨ ମାନ୍ୟତା ପାଇବା ପରେ ମଧ୍ୟ ମୌଳିକ ସୁବିଧାର ଅଭାବ ରହିଛି। ଏହା ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ କରୁଥିବା ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି। ଗତ ୪ ଓ ୧୫ ଅଗଷ୍ଟ ୨୦୨୫ରେ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି। ଆଜି ୧୦ ସେପ୍ଟେମ୍ବର ୨୦୨୫ରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏହା ପଠାଯାଇଛି। ଏହା ସହିତ ଏସସି ଏସଟି ନିର୍ଯାତନା ନିବାରଣ ଆଇନର ସଂଶୋଧନ ବିରୋଧରେ ମଧ୍ୟ ପ୍ରତିବାଦ ଜଣାଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଭାରତ ମୁକ୍ତି ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲା ସଭାପତି ମାଧବ ସୁନାନୀ, ଆର୍ ଏମ୍ ବି କେ ଏସ ରାଜ୍ୟ ସଭାପତି ଡମ୍ବରୁଧର ମାଝୀ, ରାଷ୍ଟ୍ରୀୟ ମହିମା ଧମ୍ମ ସଂଘ ପ୍ରଚାରକ ଠାକୁର ମଙ୍ଗରାଜ ଓ ଖ୍ରୀଷ୍ଟିଆନ ମୁର୍ଚ୍ଛା କଲିମ୍ ଖାଁ ପ୍ରମୁଖ ଉପସ୍ଥିତ ଥିଲେ। ସଂଗଠନଗୁଡ଼ିକ ତୁରନ୍ତ ହଷ୍ଟେଲ ନିର୍ମାଣ ସମ୍ପୂର୍ଣ୍ଣ କରିବା, ବେଞ୍ଚ-ଡେସ୍କ, ଲାଇବ୍ରେରୀ, ଷ୍ଟାଫ କ୍ୱାର୍ଟର ଓ ଖାଦ୍ୟ ଯୋଗାଣ ସୁବିଧା ନିଶ୍ଚିତ କରିବା ଏବଂ ସାମ୍ବିଧାନିକ ଅଧିକାର ଅନୁଯାୟୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।