
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଟି ନୂତନ କୋଠାକୁ ସ୍ଥାନାନ୍ତର ପରେ ଏବେ ପୁରାତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଡାକ୍ତର, ନର୍ସ ଓ କର୍ମଚାରୀମାନେ ରହୁଛନ୍ତି।ତେବେ ଡାକ୍ତର ଓ ନର୍ସ ରହୁଥିବା ପୁରାତନ ସରକାରୀ ବାସଗୃହ ଗୁଡିକର ଅବସ୍ଥା ସେତେଟା ଭଲ ନଥିଲେ ମଧ୍ଯ ପରିସ୍ଥିତି ଦୃଷ୍ଟିରୁ ବାଧ୍ଯ ହୋଇ ସେଠାରେ ସମସ୍ତେ ରହୁଛନ୍ତି।ଦିର୍ଘ ବର୍ଷ ତଳୁ ନିର୍ମାଣ ହୋଇଥିବା ସରକାରୀ ବାସଗୃହ ଗୁଡିକର ମରାମତି ଦିଗରେ ପ୍ରଶାସନ ଦୃଷ୍ଟି ଦେଉ ନଥିବାରୁ ସ୍ବାସ୍ଥ୍ୟବିଭାଗ କର୍ମଚାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ସ୍ବାସ୍ଥ୍ୟକେନ୍ଦ୍ର ନୂତନ କୋଠାକୁ ସ୍ଥାନାନ୍ତର ପର ଠାରୁ ପୁରାତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଯେଉଁଠି ଦେଖିବ ସେଇଠି କୁଢକୁଢ ଅଳିଆ ଆବର୍ଜନା ଗଦା ହୋଇ ରହିଛି।ପୁରାତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ଅଳିଆ ,ଆବର୍ଜନା ଉଠାଇବା ନିମନ୍ତେ ଏନଏସି କର୍ତ୍ତୃପକ୍ଷ ନତୁବା ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ କେହି ହେଲେ ଧ୍ୟାନ ଦେଉନଥିବା ନଜରକୁ ଆସୁଛି।ତେବେ ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ଅଳିଆ ଉଠାଇବା ଦାୟୀତ୍ବ କାହାର ବୋଲି ଖଣ୍ଡପଡ଼ା ସହରବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ବେଳକୁବେଳ ପୁରାତନ ସ୍ବାସ୍ଥ୍ୟକେନ୍ଦ୍ର ପରିସରଟି ଡଷ୍ଟବିନ ପାଲଟୁଥିବା ବେଳେ ଏହାର ସୁଯୋଗ ନେଇ କେତେକ ଠିକାଦାର ସେମାନଙ୍କର ଯାନବାହନ ଗୁଡିକୁ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏଣେତେଣେ ରଖୁଥିବାରୁ ସ୍ବାସ୍ଥ୍ୟକେନ୍ଦ୍ର ପରିସରଟି ଯାନବାହନ ପାର୍କିଙ୍ଗ ସ୍ଥଳ ପାଲଟିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି।ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହ ପୁରାତନ ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ଅଳିଆ,ଆବର୍ଜନା ଉଠାଣ ନିମନ୍ତେ ଏନଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ