
ନୟାଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଦୃଢ଼ ମନୋବଳ ଓ ଅଦମ୍ୟ ଇଚ୍ଛାଶକ୍ତିର ବଳରେ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ଗାଁର କୁମାର ଆରିୟନ ସଫଳତାର ନୂଆ ଉଚ୍ଚତା ଛୁଇଁଛନ୍ତି। ୧୯ ବର୍ଷରୁ କମ ବୟସର ପୂର୍ବ ଭାରତ (ଇଷ୍ଟ ଜୋନ) ନମ୍ବର-୧ ସିବିଏସଇ ଜାତୀୟ କ୍ରିକେଟ ଦଳରେ ସ୍ଥାନ ପାଇବା ସହ ଏହି ୧୮ ଜଣିଆ ଦଳର ଅଧିନାୟକ ଭାବେ ମନୋନୀତ ହୋଇ ଓଡ଼ିଶା ତଥା କଣ୍ଟିଲୋ ଗାଁ ପାଇଁ ଗୌରବ ଆଣିଛନ୍ତି। ସ୍ୱର୍ଗତ ଧୃବ ମହାରଣାଙ୍କ ପଣନାତୀ ତଥା ସାମାଜିକ କର୍ମୀ ଓ ପ୍ରତିଷ୍ଠିତ ସାଇକେଲ ମେକାନିକଙ୍କ ପରିବାରରୁ ଆସିଥିବା ଆରିୟନ ନିଜର ପରିଶ୍ରମ ଓ ପରିବାରର ପ୍ରେରଣା ବଳରେ ଏହି ସଫଳତା ହାସଲ କରିଛନ୍ତି। ତାଙ୍କ ଜେଜେବାପା ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ସାହୁ, ଜେଜେମା ଜୟନ୍ତୀ ସାହୁ, ମା ଅଧ୍ୟାପିକା ଡ. ବର୍ଣ୍ଣାଳୀ ସାହୁ ଏବଂ ବାପା ଯୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ପ୍ରବନ୍ଧକ ଜୟପ୍ରକାଶ ସାହୁଙ୍କ ପ୍ରେରଣା ତାଙ୍କୁ ଏହି ଲକ୍ଷ୍ୟ ପାଖରେ ପହଞ୍ଚାଇଛି। ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ମଦର୍ସ ପବ୍ଲିକ ସ୍କୁଲରେ ଯୁକ୍ତ ଦୁଇରେ ଅଧ୍ୟୟନରତ ଆରିୟନ ପୂର୍ବରୁ ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ୯ମ ଶ୍ରେଣୀରେ ଥିବା ସମୟରେ କ୍ରିକେଟ ପ୍ରତି ନିଜର ଆଗ୍ରହକୁ ଆହୁରି ଦୃଢ଼ କରିଥିଲେ। ଭୁବନେଶ୍ୱରର ପାରାମାଉଣ୍ଟ ସ୍ପୋର୍ଟିଙ୍ଗରେ ନିୟମିତ ଅଭ୍ୟାସ କରି ସେ ଓପନିଂ ବ୍ୟାଟ୍ସମ୍ୟାନ ଭାବେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ, ଯାହା ଓଡ଼ିଶା ଦଳର ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଥିଲା। ଆରିୟନ ଗତ ୧୫ ସେପ୍ଟେମ୍ବରରୁ ଦିଲ୍ଲୀର ଗ୍ରେଟର ନୋଇଡାସ୍ଥିତ ଅଷ୍ଟ୍ରେ ପବ୍ଲିକ ସ୍କୁଲରେ ଅନୁଷ୍ଠିତ ୨୦୨୫-୨୬ ପୂର୍ବ ଭାରତ ଜାତୀୟ କ୍ରିକେଟ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ୧୫ରୁ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିଥିବା ଏହି ୬ ଦିନିଆ ପ୍ରତିଯୋଗିତାରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ୯ଟି କ୍ରିକେଟ ଦଳ ଅଂଶଗ୍ରହଣ କରୁଛନ୍ତି। ଏହା ପୂର୍ବରୁ ୨୦୨୨ ନଭେମ୍ବରରେ ଓଡ଼ିଶା ଦଳରେ ସ୍ଥାନ ପାଇଥିବା ଆରିୟନ ଡିସେମ୍ବର ୨୦୨୨ରେ ଗୁଜରାଟର ସୂରଟରେ ଅନୁଷ୍ଠିତ ୧୬ ବର୍ଷରୁ କମ ବାଳକ ‘ବିଜୟ ମର୍ଚ୍ଚାଣ୍ଟ’ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ। ଏହି ସଫଳତା ପାଇଁ ଆରିୟନ ବେଶ୍ ଖୁସି ଥିବା ଜଣାପଡ଼ିଛି। ସେ ଭବିଷ୍ୟତରେ ଦେଶ ପାଇଁ ଖେଳିବାର ସ୍ୱପ୍ନ ଦେଖୁଛନ୍ତି ଏବଂ ଦୃଢ଼ ମନୋବଳକୁ ସଫଳତାର ଚାବିକାଠି ବୋଲି ବିଶ୍ୱାସ କରନ୍ତି। ତାଙ୍କ ଅଜା ସାମ୍ବାଦିକ ଗୋରଖ ନାଥ ସାହୁ ଓ ଆଈ ମୀନା ମହାରଣା ଏହି ସଫଳତା ପାଇଁ ଗର୍ବିତ ଥିବା ପ୍ରକାଶ କରିଛନ୍ତି। କଣ୍ଟିଲୋ ଗାଁବାସୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆରିୟନଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ଆରିୟନଙ୍କ ଏହି ଉପଲବ୍ଧି କେବଳ ନୟାଗଡ଼ ଜିଲ୍ଲା ନୁହେଁ, ସମଗ୍ର ଓଡ଼ିଶା ପାଇଁ ଏକ ଗର୍ବର ବିଷୟ। ତାଙ୍କ ଏହି ଯାତ୍ରା ଅନ୍ୟ ଯୁବ ଖେଳାଳିଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ଆଶା କରାଯାଉଛି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ