
କଲମପୁର (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଲମପୁର ବ୍ଲକ ଅନ୍ତର୍ଗତ ଅମୋହ ମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏକ ସମୟରେ ୧୧ଟି ପଞ୍ଚାୟତର ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷାର ମୁଖ୍ୟ କେନ୍ଦ୍ର ଥିଲା। ଏହି ବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରି ଅନେକ ଛାତ୍ରଛାତ୍ରୀ ସରକାରୀ, ବେସରକାରୀ ଓ ବ୍ୟବସାୟିକ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରି ଅଞ୍ଚଳରେ ଗୋୖରବ ଅର୍ଜନ କରିଛନ୍ତି । କିନ୍ତୁ ବର୍ତ୍ତମାନ ଏହି ବିଦ୍ୟାଳୟର ଦୁର୍ଦଶା ଯୋଗୁଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ନିରାଶା ଓ ଅସନ୍ତୋଷ ବଢୁଛି। ବିଦ୍ୟାଳୟରେ ମୌଳିକ ସୁବିଧାର ଘୋର ଅଭାବ ରହିଛି। ମାତ୍ର ଦୁଇଟି ସଂକୋଚିତ କୋଠରୀରେ ୩୫୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି, ଯେଉଁଠି ଯୁକ୍ତ ଦୁଇ ଧନ୍ଦାମୂଳକ ବିଭାଗରେ ୯୮ ଜଣ ଏବଂ କଳା ବିଭାଗରେ ୨୫୬ ଜଣ ଅଧ୍ୟୟନ କରୁଛନ୍ତି। କୋଠରୀଗୁଡ଼ିକର ଅବସ୍ଥା ଏତେ ଶୋଚନୀୟ ଯେ ମୁଖ୍ୟ ଦୁଆର ମଧ୍ୟ ସଠିକ ନାହିଁ। ଏପରି ପରିବେଶରେ ଶିକ୍ଷା ଗ୍ରହଣ କରିବା ଗୋଟିଏ ଗାଈଗୋଠରେ ରହିବା ସହ ସମାନ। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଏକ ବଡ଼ ପ୍ରଶ୍ନ ଉଙ୍କି ମାରୁଛି: ସରକାର ଓ ଶିକ୍ଷା ବିଭାଗ କାହିଁକି ଏହି ଅବସ୍ଥା ପ୍ରତି ଉଦାସୀନ? ବିରୋଧୀ ଦଳ ଏହି ବିଷୟରେ ଅନେକ ଥର ସରକାରଙ୍କୁ ଚେତାବନୀ ଦେଇଥିଲେ ମଧ୍ୟ କୋୖଣସି ଆଖିଦୃଶିଆ ପରିବର୍ତ୍ତନ ହେଉନାହିଁ। ଅଭିଭାବକମାନେ ଏବେ ଚିନ୍ତାରେ ଅଛନ୍ତି ଯେ ସେମାନଙ୍କ ପିଲାମାନେ ଶିକ୍ଷା ଜାରୀ ରଖିବେ ନା ଏହି ଅବସ୍ଥା ଯୋଗୁଁ ଅଧ୍ୟୟନ ଛାଡିବେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏହି ଅବହେଳା ବିରୁଦ୍ଧରେ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ମହାବିଦ୍ୟାଳୟରେ ତାଲା ବନ୍ଦ କରି ପ୍ରତିବାଦ କରିବାର ଯୋଜନା ଚାଲିଛି। ଏହା ଏକ ଗମ୍ଭୀର ପ୍ରଶ୍ନ ଉଠାଉଛି: ଶିକ୍ଷା ବିଭାଗ ଓ ପ୍ରଶାସନ କ’ଣ ଏହି ଅବସ୍ଥା ସମ୍ପର୍କରେ ଅଜଣା ଅଛନ୍ତି, ନା ଜାଣିଶୁଣି ଅଣଦେଖା କରୁଛନ୍ତି ? ଅମୋହ ମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏହି ଦୁର୍ଦଶା କେବଳ ଶିକ୍ଷା ବ୍ୟବସ୍ଥାର ବିଫଳତାକୁ ଦର୍ଶାଉ ନାହିଁ, ବରଂ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ମଧ୍ୟ ଅନ୍ଧକାର କରୁଛି। ସରକାର ଓ ପ୍ରଶାସନ ଏହି ସମସ୍ୟାର ତୁରନ୍ତ ସମାଧାନ ନକଲେ, ଏହା ଏକ ବୃହତ ଆନ୍ଦୋଳନର ରୂପ ନେଇପାରେ।
ବିଶେଷ ଖବର – ଭୋଜରାଜ ଛତ୍ରିଆ