
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡା ବ୍ଲକ ଅଧୀନ କୁମ୍ଭାରପଡ଼ା ରାମଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରତିବର୍ଷ ପରି ସୋମବାର ଗୌରୀ ବୃନ୍ଦାବନ ସ୍ମୃତି ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାନେତ୍ରୀ ସ୍ଵର୍ଣ୍ଣଲତା ଦାଶ ଅଧ୍ଯକ୍ଷତା କରିଥିବାବେଳେ ପରିଚାଳନା କମିଟିର ଅଧ୍ଯକ୍ଷା ଆରତୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୌରୀ ବୃନ୍ଦାବନଙ୍କ ସମ୍ପର୍କରେ ଆଲୋକପାତ କରିବା ସହ ସେମାନଙ୍କ ସ୍ମୃତି ଚାରଣ କରିଥିଲେ। ଭଲ ଛାତ୍ର ଅପେକ୍ଷା ସମାଜରେ ଜଣେ ଉତ୍ତମ ତଥା ଭଲ ମଣିଷ ଟିଏ ହୋଇପାରିଲେ ସମାଜରେ ଉର୍ନ୍ନତିଘଟିବ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ଆହ୍ୱାନ ଦେଇଥିଲେ।ପ୍ରାରମ୍ଭରେ ଅତିଥି ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀଶିକ୍ଷକମାନେ ଗୌରୀ ବୃନ୍ଦାବନ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ସ୍ବର୍ଗତ ବୃନ୍ଦାବନ ଦାଶ ଏକାଧାରରେ ଜଣେ ପରୋପକାରୀ, ଧର୍ମ ପରାୟଣ, ଜ୍ୟୋତିବିଦ୍, ମେଳାପୀ, ସର୍ବଗୁଣ ସମ୍ପନ୍ନ ବ୍ୟକ୍ତି ଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ପ୍ରବନ୍ଧ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା। ଏହାଛଡ଼ା ପଞ୍ଚମ ଶ୍ରେଣୀ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ଶୁଭଶ୍ରୀ ପ୍ରଧାନ ଙ୍କୁ ଟ୍ରଷ୍ଟ ପକ୍ଷରୁ ଟ୍ରଫି ପ୍ରଦାନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମକୁ ଶିକ୍ଷକ କ୍ଷୀରୋଦ କୁମାର ପଣ୍ଡା ସଂଯୋଜନା କରିଥିଲେ।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ